ଅଶୋଧିତ ତୈଳ ଲାଗି ସାଉଦୀ ଆରବ-ଭାରତ ମଧ୍ୟରେ ମନୋମାଳିନ
ନୂଆଦିଲ୍ଲୀ : ଆର୍ଥିକ ସଂକଟରୁ ମୁକୁଳିବା ଲାଗି ଦେଶ ଉଦ୍ୟମ ଚଳାଇଥିବା ବେଳେ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ଜନ ଅସନ୍ତୋଷର କାରଣ ପାଲଟିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋଧିତ ତୈଳ ଦର ବୃଦ୍ଧି ଦେଶର ଆମଦାନୀ ବିଲ୍ ବୃଦ୍ଧି କରିଥିବା କହିଛନ୍ତି। ଅଶୋଧିତ ତୈଳ ଲାଗି ଭାରତ ଏବେ ସାଉଦୀ ଆରବ ଉପରେ ନିଜର ନିର୍ଭର ହ୍ରାସ କରିବାକୁ ପଦକ୍ଷେପ ନେଇଛି। ତୈଳ ମୂଲ୍ୟ ସ୍ଥିର ରଖିବା ଲାଗି ସାଉଦୀ ଆରବ ଓ ଅନ୍ୟ ତୈଳ ସମ୍ପନ୍ନ ଦେଶ (ଓପେକ୍) ଉତ୍ପାଦନ ହ୍ରାସ କରିଛନ୍ତି। ତେବେ ଆବଶ୍ୟକତା ଦୃଷ୍ଟିରୁ ଉତ୍ପାଦନ ବଢାଇବା ଲାଗି ଭାରତ ନିବେଦନ କରିଆସୁଥିଲେ ବି ଏଥିପ୍ରତି ଅଣଦେଖା କରାଯାଉଛି। ଫଳରେ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଏହାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡୁଛି। ଏଣୁ ଭାରତ ଏବେ ବିକଳ୍ପ ସନ୍ଧାନ କରୁଛି। ଏଥିରେ ଭାରତ ସରକାର ତୈଳ କମ୍ପାନୀମାନଙ୍କୁ ପଶ୍ଚିମ ଏସିୟ ଦେଶରୁ ଅଶୋଧିତ ତୈଳ କ୍ରୟ ଲାଗି କରିଥିବା ରାଜିନାମା ପୁନଃ ସମୀକ୍ଷା କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ନିଜ ଅନୁକୁଳ ସର୍ତ୍ତ ଲାଗି ପୁଣି ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଥିବାରୁ ଭାରତର ଏହି ରଣନୀତି ଏବେ ତୈଳ ଉତ୍ପାଦକଙ୍କ ମେଣ୍ଟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।ଭାରତ ମୋଟ ତୈଳ ଆବଶ୍ୟକତାର ୮୫ ପ୍ରତିଶତ ଆମଦାନୀ କରିଥାଏ। ଏଣୁ ତୈଳ ମୂଲ୍ୟରେ ହେଉଥିବା ଉଠାପକାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଥାଏ।


