ବିଦ୍ୟୁତଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଏବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଉପଲକ୍ଷେ ଆଜି ଭଣ୍ଡାରିପୋଖରୀ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ସହିତ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ ଯୋଗଦେଇ କମ୍ପାନୀର ଏଭଳି ବେଆଇନ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ତୀବ୍ର ସମାଲୋଚନା କରିଥିଲେ । ଆଗାମୀ ଦିନରେ ବିଦ୍ୟୁତ ବିଭାଗ ବୃଦ୍ଧି କରିଥିବା ମାତ୍ରାଧିକ ଶୁଳ୍କ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳାନେତ୍ରୀ ସବିତା ଚନ୍ଦ, ପ୍ରଶାନ୍ତ ସାହୁ, ଅଶୋକ ନାୟକ, ଅଜୟ ସାହୁ, ଶ୍ୟାମସୁନ୍ଦର ମହାପାତ୍ର, ବିଜୟଶଙ୍କର ମହାନ୍ତି, ନଟବର ରାଉଳ, ନିଗମାନନ୍ଦ ଜେନାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ ଗଣଧାରଣାରେ ଉପସ୍ଥିତ ଥିଲେ ।


