ରବିଧାନ ପଞ୍ଜିକରଣ ପାଇଁ ଚାଷୀଙ୍କ ଦାବି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) ; ଅନେକ ବାଦବିବାଦ ଭିତରେ ଖରିଫ ଧାନକ୍ରୟ ଶେଷ ହୋଇଥିଲେ ସୁଦ୍ଧା ଏବେ ରବିଧାନ ପାଇଁ ପଞ୍ଜିକରଣ ହେଉନଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷକରି ଭଦ୍ରକ ଜିଲ୍ଲାରେ ବର୍ଷକୁ ବର୍ଷ ରବିଋତୁରେ ସହଳକିଶମ ଧାନଚାଷ ହେଉଥିଲେ ସୁଦ୍ଧା ଏହାକୁ ସରକାରୀ ସ୍ତରରେ ଚାଷୀମାନେ ବିକ୍ରୟ କରିପାରୁନାହାଁନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ରବିଧାନକୁ ସରକାର କିଣୁଥିବାବେଳେ ଏଠାରେ କିନ୍ତୁ ବ୍ୟତୀକ୍ରମ ଦେଖାଦେଇଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଖରିଫ ଧାନ ପାଇଁ କୃଷି ବିଭାଗ ଓ ସମବାୟ ବିଭାଗ ଜରିଆରେ ସରକାର ବିଭିନ୍ନ ପ୍ରୋତ୍ସହନ ଯୋଗାଉଥିବାବେଳେ ରବିଧାନ ପାଇଁ ସେଭଳି କୌଣସି ସାହାର୍ଯ୍ୟ ଯୋଗାଯାଉନାହିଁ । ଏହା ସତ୍ତ୍ୱେ ଚାଷୀମାନେ ଦେନାଧାର କରିବା ସହ ନିଜ ପ୍ରଚେଷ୍ଟାରେ ହଜାର ହଜାର ହେକ୍ଟର ଚାଷଜମିରେ ରବିଧାନ ଚାଷ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୧୪ଗୋଟି ପଞ୍ଚାୟତ ଅଞ୍ଚଳରେ ରବିଧାନ ଚାଷ ହୋଇଥିଲେ ସୁଦ୍ଧା ସରକାରୀ ଭାବେ ଶସ୍ୟ ବିକ୍ରୟ ପାଇଁ ଏଯାଏଁ ପଞ୍ଜିକରଣ ବ୍ୟବସ୍ଥା ଲାଗୁ ହୋଇନଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୟାଁବନାପୁର ପଞ୍ଚାୟତରେ ୨୫ହେକ୍ଟର, ଦକ୍ଷିଣବାଡ ପଞ୍ଚାୟତରେ ୩୨ହେକ୍ଟର, ଜଳମଣ୍ଡୁଆ ପଞ୍ଚାୟତରେ ୩୦ହେକ୍ଟର, କୁରିଗାଁ ପଞ୍ଚାୟତରେ ୧୨ହେକ୍ଟର, ତେସିଙ୍ଗା ପଞ୍ଚାୟତରେ ୨୨ହେକ୍ଟର, ରଣଜିତ ପଞ୍ଚାୟତରେ ୧୦ହେକ୍ଟର, ରାମଚନ୍ଦ୍ରପୁର ପଞ୍ଚାୟତରେ ୨୩୦ହେକ୍ଟର ଚାଷଜମିରେ ସହଳ କିଶମ ରବିଧାନ ଚାଷ ହୋଇଛି । ଅନୁରୂପ ଭାବେ ମାଳଦା ପଞ୍ଚାୟତରେ ୩୦ହେକ୍ଟର, ନପଙ୍ଗରେ ୨୦, ନେରଡାରେ ୧୫, ନିର୍ଗୁଣ୍ଡିରେ ୩୮, ପାଟୁଳିରେ୨୯, ରହଣିଆରେ ୫ ଓ ରାଜେନ୍ଦ୍ରପୁର ପଞ୍ଚାୟତ ଅଞ୍ଚଳର ୪୩ହେକ୍ଟର ଚାଷଜମିରେ ଧାନଚାଷ ହୋଇଛି । ମୋଟାମୋଟି ଭାବେ ବ୍ଲକର ୫୪୧ହେକ୍ଟର ଜମିରେ ଚାଷୀମାନେ ଧାନଚାଷ କରିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ପାଦିତ ଶସ୍ୟକୁ ସରକାରୀ ଭାବେ ବିକ୍ରୟ କରିବାକୁ ଚେଷ୍ଟା କରାଯାଉନାହିଁ । ରାମଚନ୍ଦ୍ରପୁର ଓ ତେସିଙ୍ଗା ପଞ୍ଚାୟତର ଚାଷୀଙ୍କ ସମେତ ଅନ୍ୟାନ୍ୟ ଅଞ୍ଚଳର ଚାଷୀ ମାନେ ଏନେଇ ଗତ କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ପଞ୍ଜିକରଣ ପାଇଁ ଲିଖିତ ଭାବେ ଜଣାଇଥିଲେ । ଇତିମଧ୍ୟରେ ୧୫ଦିନ ବିତିଯାଇଥିଲେ ସୁଦ୍ଧା ରବିଧାନ ବିକ୍ରୟ ପାଇଁ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ ହୋଇନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହା ଉପରେ ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ