ମେ ୧୫ ପର୍ଯ୍ୟ‌ନ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଏସ୍‌ଆଇ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଏସ୍‌ଆଇ ଅଧୀନରେ ରହିଥିବା ୩,୬୯୩ ଐତିହ୍ୟ ସ୍ଥଳ ଏବଂ ୫୦ ସଂଗ୍ରହାଳୟ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ଏବଂ ସୋମନାଥ ମନ୍ଦିର ଭଳି ଧର୍ମୀୟ ପୀଠରେ ଦୈନନ୍ଦିନ ପୂଜା ରୀତିନୀତି ଯଥାବିଧି ଜାରି ରହିବ। କିନ୍ତୁ ଭକ୍ତ ସମାଗମକୁ ଅନୁମତି ମିଳିବ ନାହିଁ ବୋଲି ସଂସ୍କୃତି ମନ୍ତ୍ରଣାଳୟର ଗଣମାଧ୍ୟମ ଉପଦେଷ୍ଟା ନୀତିନ ତ୍ରିପାଠୀ କହିଛନ୍ତି। ପ୍ରକାଶ ଯେ, କରୋନା ମହାମାରୀ ଯୋଗୁ ଗତବର୍ଷ ମାର୍ଚ୍ଚ ୧୭ରୁ ଏଏସ୍‌ଆଇ ଅଧୀନ ସମସ୍ତ ଐତିହ୍ୟ ସ୍ଥଳକୁ ବନ୍ଦ କରିଦିଆଯାଇଥିଲା। ଜୁଲାଇରେ କୋଭିଡ୍‌ କଟକଣା ମଧ୍ୟରେ ସେଗୁଡ଼ିକ ପୁନର୍ବାର ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଥିଲା। ମାସ୍କ ପରିଧାନ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯିବା ସହ ପର୍ଯ୍ୟଟକଙ୍କ ସଂଖ୍ୟାକୁ ସୀମିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କଟକଣାକୁ କୋହଳ କରିଦିଆଯାଇଥିଲା। ତେବେ ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଥିବାରୁ ପୁଣି ଥରେ ସମସ୍ତ ଐତିହ୍ୟ ସ୍ଥଳକୁ ବନ୍ଦ ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ