ଆଦିତ୍ୟ ଜିତିବା କ୍ଷଣି ମୁଖ୍ୟମନ୍ତ୍ରୀ ପଦ ଦାବି କଲା ଶିବସେନା
ମୁମ୍ବାଇ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା । ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପି ଓ ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଯାଇଛି । ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଠାକରେ ପରିବାରର ଉତ୍ତରାଧିକାରୀ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନା ଦାବି କରିଛି । ବିଜେପି ଓ ଶିବସେନା ମେଣ୍ଟ କରିବା ପୂର୍ବରୁ ହିଁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ଆଦିତ୍ୟ ଠାକରେ ଜିତିବା କ୍ଷଣି ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିବସେନାର ବରିଷ୍ଠ ନେତା ମାନେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ “ଆମ ଦଳକୁ ମୁଖ୍ୟମନ୍ତ୍ରୀ ପଦ ମିଳୁ । ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ନିର୍ବାଚନ ଲଢ଼ିଥିଲେ । ସେ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି । ତେଣୁ ମରାଠାବାସୀ ଶିବସେନାର ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି । ତେଣୁ ଆଦିତ୍ୟ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ । । ଏହାପୂର୍ବରୁ ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ ପରୋକ୍ଷରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସଙ୍କେତ ଦେଇଥିଲେ । ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବ । ଅର୍ଥାତ ଦେବେନ୍ଦ୍ର ଫଡନାଭିସ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେହିପରି ଶିବସେନାକୁ ଦଳ ଉପ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବ ବୋଲି ଜଣାପଡ଼ିଛି ।