ହରିଆଣାରେ ଝୁଲା ବିଧାନସଭା
ଚଣ୍ଡିଗଡ଼: ପୁଣିଥରେ ହରିଆଣାରେ ସରକାର ଗଠନ ପାଇଁ ବିଜେପି ଯେଉଁ ଲକ୍ଷ୍ୟ ରଖିଥିଲା, ତା’ହା ଫସର ଫାଟିବାକୁ ଯାଉଛି । ହରିଆଣା ବିଧାନସଭାର ୯୦ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬ । ତେବେ ବର୍ତ୍ତମାନ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ, ବିଜେପି ୧୮ଟି ଆସନରେ ଜିତିଥିବା ବେଳେ ୨୧ଟି ଆସନରେ ଆଗରେ ରହିଛି । କଂଗ୍ରେସ ୧୧ଟି ଆସନରେ ଜିତିଥିବା ବେଳେ ୨୨ଟି ଆଗରେ ରହିଛି । ସେହିପରି ଅନ୍ୟାନ୍ୟ ଦଳ ୧୫ଟି ଆସନରେ ଜିତିଥିବା ବେଳେ ୩ଟିରେ ଆଗରେ ରହିଛନ୍ତି । ଅର୍ଥାତ ଏଠାରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳିବ ନାହିଁ । ଅନ୍ୟାନ୍ୟ ଦଳ ଗୁଡ଼ିକ ମଧ୍ୟରେ ଜେଜେପି ସର୍ବାଧିକ ୧୧ଟି ଆସନ ଜିତିଛି ।
୨୦୧୪ରେ ବିଜେପି ଏଠାରେ ୪୭ଟି ଆସନ ଜିତିଥିବା ବେଳେ କଂଗ୍ରେସ ୧୫ ଓ ଆଇଏନଏଲଡି ଖାତାକୁ ୨୦ଟି ଆସନ ଯାଇଥିଲା ।
ତେବେ ଏବେ ହରିଆଣାରେ ୩ଟି ଘଟଣା ଘଟିପାରେ
୧: ବିଜେପି ସରକାର ଗଠନ ପାଇଁ ଦାବି କରିପାରେ:ଯଦି ବିଜେପି ମ୍ୟାଜିକ ନମ୍ବର ଠାରୁ ମାତ୍ର କିଛିଟି ଆସନ ଦୂରରେ ରହିଯାଏ, ତା’ହେଲେ ଦଳ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି କରିପାରେ । ଏପରି ସ୍ଥିତିରେ ଦଳ ଆଇଏନଏଲଡି ଦଳର ସହଯୋଗ ଲଢ଼ିବ । ଆଇଏନଏଲଡି ୨ଟି ଆସନ ଜିତିବ ବୋଲି ଜଣାପଡ଼ିଛି ।
ଯଦି ବିଜେପି ମ୍ୟାଜିକ ନମ୍ବର ଠାରୁ ୫ରୁ ଅଧିକ ଆସନ ଦୂରରେ ରହିବ, ତା’ହେଲେ ଦ୍ୟୁଷନ୍ତ ଚୌଟାଲାଙ୍କ ଦଳ ଜେଜେପିକୁ ମଧ୍ୟ ନିଜ ସହ ସାମିଲ କରିବାକୁ ଚାହିଁବ । ନଚେତ ଟଙ୍କା ଦେଇ କଂଗ୍ରେସ ଓ ଜେଜେପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିବ ।
୨: କଂଗ୍ରେସ ସରକାର ଗଠନ ପାଇଁ ଦାବି କରିପାରେ:କଂଗ୍ରେସ ସରକାର ଗଠନ ପାଇଁ ଦାବି କରିବା ପୂର୍ବରୁ ପ୍ରଥମେ ଜେଜେପି ଓ ଆଇଏନଏଲଡିକୁ ଏକାଠି କରିବାକୁ ଚେଷ୍ଟା କରିବ । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ବିରୋଧୀ ଜେଜେପିକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମଧ୍ୟ ପଛଘୁଞ୍ଚା ଦେବନାହିଁ । ଏଭଳି ହେଲେ କଂଗ୍ରେସ କ୍ଷମତାକୁ ଫେରିପାରିବ ।
୩: କିଙ୍ଗ ମେକର ହେବ ଜେଜେପି: ଆଇଏନଏଲଡରୁ ଅଲଗା ହୋଇ ଜେଜେପି ଗଠନ କରିଥିବା ଦ୍ୟୁଷନ୍ତ ଚୌଟାଲଙ୍କୁ ଉଭୟ କଂଗ୍ରେସ ଓ ବିଜେପି ସରକାର ଗଠନ ପାଇଁ ପ୍ରଲୋଭିତ କରିପାରନ୍ତି ।
ଏପରି କି ଜେଜେପି ମୁଖ୍ୟ ଭାବେ ଦ୍ୟୁଷନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିପାରେ । ଏପରି ହେଲେ କର୍ଣ୍ଣାଟକ ଘଟଣାର ପୁନରାବୃତ୍ତି ଘଟିବ । କର୍ଣ୍ଣାଟକରେ ଜେଡିଏସ୍ କମ୍ ସଂଖ୍ୟକ ଆସନ ପାଇଥିଲେ ହେଁ କୁମାରସ୍ୱାମୀ ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।


