କିଡିନି ରୋଗ ଆତଙ୍କ:୧ ମୃତ, ଗାଁରେ ପହଞ୍ଚିଲେ ଡାକ୍ତରୀଦଳ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ହରଡବାଡିରେ କିଡିନି ରୋଗର ଆତଙ୍କ ଥମିବାର ନାଁ ଧରୁନି । ଗତ ଚାରିଦିନ ତଳେ ଜଣେ କିଡିନି ରୋଗୀର ମୃତ୍ୟୁ ଘଟିଥିବାବେଳେ ଆଜି ଜଣେ ଆକ୍ରାନ୍ତଙ୍କ ବାରିପଦା ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗତ ବର୍ଷକ ଭିତରେ ୨୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ୨୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ ଘରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ଡି.ପି.ଏଚ.ଓ ଡ. ଏନ.ଡି.ସି. ବେହେରାଙ୍କ ନେତୃତରେ ଏମ.ପି.ଏଚ.ଏସ.ସି.ଏମ କେନ୍ଦୁଝର ପ୍ରସନ୍ନ ବାରିକ, ଏମ.ପି.ଏଚ.ଏସ.ସି.ଏମ କେନ୍ଦୁଝର ସଦରର ଜଗମୋହନ ସାହୁ, ଶାଳଣିଆଁ ପିଏଚଇଓ ପ୍ରମୁଖ ହରଡବାଡିରେ ପହଞ୍ଚି ଆକ୍ରାନ୍ତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ସହ ଡାକ୍ତରୀ ଚିଠା ଓ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ସବୁ ଦେଖିଥିଲେ । ଏପରିକି ଗାଁରେ କିଡିନି ଆକ୍ରାନ୍ତ ରୋଗୀଙ୍କୁ ଭେଟି ସେମାନେ ଖାଉଥିବା ଓଷଧପତ୍ର ଯାଞ୍ଚ କରିଥିଲେ । ସେମାନେ ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ନେଇଥିଲେ । ୯୦ଭାଗରୁ ଉର୍ଦ୍ଧ ରୋଗୀଙ୍କ ଠାରେ କିଡିନି ରୋଗର ଜୀବାଣୁ ଥିବା ସେ ସୁଚନା ଦେବାସହ ଲୋକମାନଙ୍କୁ ଫୁଟାପାଣି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଗାଁରେ ଥିବା ନଳକୂପ ଗୁଡିକର ପାଣିକୁ ପରିସ୍କାର କରିବାପାଇଁ ପଦକ୍ଷେପ ନେବାକୁ ସେ ଜଳଯୋଗାଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଆଲୋଚନା କରି ପରବର୍ତ୍ତି ପଦକ୍ଷେପ ନେବେ ବୋଲି ଡ. ବେହେରା ସୁଚନା ଦେଇଛନ୍ତି । ଏହି ଡାକ୍ତରୀ ଦଳ ସହିତ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ, ସରପଞ୍ଚ ଅଶୋକ ଜେନା ଓ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


