୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ନାମଲେଖା ଆରମ୍ଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ଚଳିତ ମାସ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ସମୟ ଦିଆଯିବ। ଯୁକ୍ତ ଦୁଇରେ ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି। ତେବେ ବିଜ୍ଞାନ ପାଇଁ ଲାବ୍ରୋଟାରି ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି, ସେମାନେ ଲାବ୍ରୋଟାରି ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି। ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, ତାହାର ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ। ସିଟକୁ ନେଇ କୌଣସି ସମସ୍ୟା ହେବନାହିଁ ବୋଲି ସେ କହିଛନ୍ତି।


