ଲୁଣାଘେରି ବନ୍ଧର ଦୃଢ଼ିକରଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, (ୱାଇଏନ୍ଏସ୍): ଲୁଣାଘେରି ବନ୍ଧ ଏବଂ ବନ୍ୟାବନ୍ଧ ଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ସେଗୁଡ଼ିକର ଦୃଢ଼ିକରଣ ନିମନ୍ତେ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୃତ ପରିବର୍ତିତ ହେଉଥିବା ଜଳବାୟୁ ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ଓ ଜୁଆରର ପୁନଃ- ପୌନିକତା ଏବଂ ତୀବ୍ରତା ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମ୍ଭାବ୍ୟ ଉଚ୍ଚ ସାମୁଦ୍ରିକ ଜୁଆର, ଉପକୂଳ କ୍ଷୟ, ଚାଷକ୍ଷେତ ଓ ଜନବସତିକୁ ଲୁଣା ଜୁଆର ପ୍ରବେଶ; ଏବଂ ସମ୍ଭାବ୍ୟ ଲୁଣା ଜୁଆର ଏବଂ ତାହାର ମୁକାବିଲା ପାଇଁ ରାଜ୍ୟରେ ଥିବା ଭିତିଭୂମି ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସାମ୍ପ୍ରତିକ ସ୍ଥିତିର ଅନୁଧ୍ୟାନ କରି ଉଚ୍ଚ ସମୁଦ୍ର ଜୁଆର ପଶିଆସିବା ସମ୍ଭାବନା ଥିବା ସମ୍ବେଦନଶୀଳ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ତାହାର ମୁକାବିଲା ନିମନ୍ତେ ଲୁଣାଘେରି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସମୁଦ୍ର ଉପକୂଳର ମୁର୍ତିକା ସଂରଚନା ଏବଂ ଭୁତାତ୍ୱିକ ଅନୁଶୀଳନ ପୂର୍ବକ କେଉଁ କେଉଁ ସ୍ଥାନରେ ବୈଷୟିକ କୌଶଳ ପ୍ରୟୋଗ ଫଳପ୍ରଦ ହେବ ତାହା ନିର୍ଣ୍ଣୟ କରିବାକୁ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପ୍ରଦୀପ କୁମାର ଜେନା କହିଥିଲେ । ଯେଉଁ ବିପଦସଙ୍କୁଳ ସ୍ଥାନମାନଙ୍କରୁ ଜନବସତି ସ୍ଥାନାନ୍ତର ବ୍ୟତୀତ ଅନ୍ୟଉପାୟ ନାହିଁ ତାହା ଚିହ୍ନଟ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।ଓଡ଼ିଶାରେ ଭାରତ ଉପକୂଳର ପ୍ରାୟ ୧୭ ପ୍ରତିଶତ ଥିବାବେଳେ ରାଜ୍ୟ ପ୍ରାୟ ୩୫ ପ୍ରତିଶତ ସାମୁଦ୍ରିକ ବାତ୍ୟା ଓ ଜୁଆର ଆଦି ବିପଦର ସମ୍ମୁଖୀନ ହୋଇଥାଏ । ସାରା ବିଶ୍ୱରେ ଓଡ଼ିଶା ୬ଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ । ତା’ଛଡ଼ା ଉପକୂଳ ବର୍ତୀ ଅଂଚଳ ପ୍ରାୟ ସମତଳ ଭୂମି । ଏହା ଉର୍ବର ଚାଷଜମି ଏବଂ ଏସବୁ ଅଂଚଳରେ ଜନବସତିର ଘନତା ମଧ୍ୟ ଅଧିକ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ମୁଖ୍ୟତଃ ଗଞ୍ଜାମ, ପୁରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରଖ ଏବଂ ବାଲେଶ୍ୱର ଆଦି ଜିଲ୍ଲାରେ ଗତବର୍ଷ ମାନଙ୍କରେ ରାଜ୍ୟରେ ପ୍ରାୟ ୧,୬୩୬ କି.ମି. ଲୁଣା ଘେରି ଏବଂ ୫,୮୬୪ କି.ମି. ବନ୍ୟାଘେରି ବନ୍ଧ ନିର୍ମାଣ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ୭ଟି ପ୍ରବଳରୁ ଅତିପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି । ଏହି ସବୁ ବାତ୍ୟା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ଆସିଛି । ଏବଂ ବହୁ ଅଂଚଳରେ ଲୁଣାପାଣି ମାଡ଼ି ଯାଇଛି । ବାତ୍ୟାର ତୀବ୍ରତା ଏବଂ ସଂଙ୍ଖ୍ୟାଧିକତା ଦୃଷ୍ଟିରୁ ଭବିଷ୍ୟତ ପାଇଁ ଲୁଣା ଏବଂ ବନ୍ୟାଘେରୀ ଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ସେଗୁଡ଼ିକୁ ଦୃଢିକରଣ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି ।ସମୁଦ୍ର କୂଳରେ ବାସ କରୁଥିବା ବା ସମୁଦ୍ର କୂଳରେ ଚାଷ ଜମିଥିବା ଜନସାଧାରଣଙ୍କ ସହ ସିଧା ସଳଖ ଭାବେ ଆଲୋଚନା କରି ଲୁଣାବନ୍ଧ ଦୃଢ଼ିକରଣର ପ୍ରୟୋଜନୀୟତା ଏବଂ ବର୍ତମାନ ଓ ଭବିଷ୍ୟତ ପାଇଁ ଏହାର ଉପକାର ବିଷୟରେ ସେମାନଙ୍କୁ ଅବଗତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳ ସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୁଣା ଘେରି ଦୃଢ଼ୀକରଣ ହେଲେ ସେମାନଙ୍କର ଜନଜୀବନ ଏବଂ ଚାଷକ୍ଷେତ ସମ୍ଭାବ୍ୟ ଉଚ୍ଚ ଜୁଆରରୁ ସୁରକ୍ଷା ପାଇବ ବୋଲି ବୁଝାଇବାକୁ କହିଥିଲେ । ଏହା ହେଲେ ସମୁଦ୍ର କୁଳବର୍ତୀ ଗ୍ରାମର ଲୋକମାନେ ପ୍ରକଳ୍ପ ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବେ ।