ବାଲେଶ୍ୱରରେ ୭୫ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ
ବାଲେଶ୍ୱର,(ସରୋଜ ପଣ୍ଡା):କୋଭିଡ କଟକଣା ମଧ୍ୟରେ ବାଲେଶ୍ୱରରେ ୭୫ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଚନ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଭାରତ ଭଳି ରାଷ୍ଟ୍ରରେ ନାଗରିକଙ୍କ ପାଇଁ ସ୍ୱାଧୀନତା ଦିବସ ଆତ୍ମସମୀକ୍ଷାର ଦିନ ହେଉ ବୋଲି କହିଥିଲେ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅବିଭକ୍ତ ବାଲେଶ୍ୱର ଜିଲାର ଅବଦାନ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଜିଲାର ପବିତ୍ର ଭୂମି ଇଞ୍ଚୁଡ଼ି ଓ ଇରମର ରକ୍ତତୀର୍ଥ ସ୍ମୃତିସ୍ତମ୍ଭ ସେତେବେଳର ସଂଗ୍ରାମୀ ଦେଶଭକ୍ତଙ୍କ ବଳିଦାନର ଇତିହାସ ଆଜି ସମସ୍ତଙ୍କୁ ମନେପକାଇ ଦେଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । ସେହିଭଳି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଭାଷାଭିତ୍ତିକ ଓଡ଼ିଶା ଗଠନ ପାଇଁ ବ୍ୟାସକବିଙ୍କ ସାଲିସବିହୀନ ସଂଗ୍ରାମ ଆମକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ଭାରତ ଏକତ୍ରୀକରଣ ପ୍ରକ୍ରିୟାରେ ନୀଳଗିରି ଉପଖଣ୍ଡ ସମଗ୍ର ଦେଶକୁ ଦିଗଦର୍ଶନ ଦେଇଥିବା ସେ ମତବ୍ୟକ୍ତ କରିଥିଲେ । ସଂଗ୍ରାମର ତୀର୍ଥ ଭାବେ ବହୁ ସ୍ମୃତି ଓ କୀର୍ତ୍ତିକୁ ବହନ କରି ବାଲେଶ୍ୱର ଉତ୍ତର ପିଢ଼ି ପାଇଁ ପ୍ରେରଣା ହୋଇଛି । ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ମନ୍ତ୍ରୀ କହିଥିଲେ । ସେହିଭଳି ସ୍ୱାଧୀନତାର ଦୀର୍ଘବର୍ଷ ପରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି । କରୋନାର ମୁକାବିଲାଠାରୁ ଆରମ୍ଭ କରି ବାହାର ରାଜ୍ୟକୁ ଅମ୍ଳଜାନ ଯୋଗାଇବା ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ରାଜ୍ୟର ୧.୭କୋଟି ଲୋକଙ୍କୁ ସଫଳତାର ସହ କୋଭିଡ ଟିକା ପ୍ରଦାନ, ରାଜ୍ୟର ସମସ୍ତ ଜିଲାରେ ଅମ୍ଳଜାନ କାରଖାନା ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ, କୋଭିଡ ପ୍ରଭାବିତ ଗରିବଙ୍କ ସମେତ ସବୁବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି ସମୟୋପଯୋଗୀ ପଦକ୍ଷେପ ସମଗ୍ର ଦେଶ ପାଇଁ ଉଦାହରଣ ହୋଇଛି । ଚଳିତ ଦ୍ୱିତୀୟ ଲହର କୋଭିଡ କାଳରେ ଲୋକଙ୍କ ସାମାଜିକ ସୁରକ୍ଷା ତଥା ଅର୍ଥନୈତିକ କ୍ଷତିର ଭରଣା ପାଇଁ ରାଜ୍ୟ ସରକାର ୨ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି । ସେହିଭଳି କୋଭିଡରେ ପିତାମାତା ହରାଇ ଅନାଥ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାର ସାମିଲ କରିବା, ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ୧୧ହଜାର ୪୫୦ ଶିକ୍ଷକ ପଦବୀ ପୂରଣ ଆଦି ନିଷ୍ପତ୍ତି ଲୋକାଭିମୁଖୀ ସରକାରଙ୍କ ପରିଚୟ ଦେଇଛି । ସେହିଭଳି କୋଭିଡ ସମୟରେ ସହରାଞ୍ଚଳ ଗରିବ ପରିବାରଙ୍କୁ ମୁକ୍ତା ଯୋଜନାରେ କର୍ମଯୋଗାଣ, କ୍ରୀଡା ଭିତ୍ତିଭୂମି ବିକାଶରେ ୬୯୩କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୮୯ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଆଦି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପର ପ୍ରତିଫଳନ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । ଆମର ପୂର୍ବସୂରୀମାନେ ସଂଗ୍ରାମ ଦ୍ୱାରା ସ୍ୱାଧୀନତା ଆଣି ସେମାନଙ୍କ କର୍ତ୍ତବ୍ୟ କରିଛନ୍ତି । ଏବେ ଏହାର ସୁରକ୍ଷା ଓ ସମୃଦ୍ଧି ଆମର ନୈତିକ ଦାୟିତ୍ୱ । ଭାରତର ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ସହ ରାଷ୍ଟ୍ର ତଥା ଆମ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ । କରୋନା କଟକଣା ପାଇଁ ସାମୂହିକ ପ୍ୟାରେଡ଼ ବନ୍ଦ କରାଯାଇଥିବା ବେଳେ କେବଳ ଦୁଇଟି ରିଜର୍ଭ ପୁଲିସର ଦୁଇଗୋଟି ଟିମ ସମେତ ପୁଲିସ ବ୍ୟାଣ୍ଡ ଏହି ଉତ୍ସବରେ ଯୋଗ ଦେଇଥିଲେ । ରିଜର୍ଭ ଇନସପେକ୍ଟର ଦିଲୀପ ସାମନ୍ତରାୟ ରାଷ୍ଟ୍ରୀୟ ସେଲୁଟ ପ୍ରଦାନର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଏଥିରେ ସେକେଣ୍ଡ-ଇନ-କମାଣ୍ଡ ରାଜୀବ କୁମାର ମାରାଣ୍ଡି ତାଙ୍କୁ ସହଯୋଗ କରିଥିଲେ । ଏହି ଅବସରରେ ୨୦ଜଣ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଦାଶ ପରେଡ଼ ପଡ଼ିଆରେ ସେମନଙ୍କୁ ଭେଟି କରୋନା କାଳରେ ସେମାନଙ୍କ କାର୍ଯ୍ୟ ଓ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ । ଶେଷରେ ମନ୍ତ୍ରୀ ପ୍ୟାରେଡ଼ ପଡି଼ଆରେ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ସଭାପତି ନିବେଦିତା ମହାନ୍ତି, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର କୁନାଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଊତ୍ସବରେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତରଫରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଲାୟନ୍ସ କ୍ଲବ ପକ୍ଷରୁ ଜିଲା କାରାଗାରରେ ମିଷ୍ଟାନ୍ନ ବଣ୍ଟନ ଓ ବାଲେଶ୍ୱର ପୌରପାଳିକା ପକ୍ଷରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା ।


