ସରକାରଙ୍କ ଚିନ୍ତା ବଢ଼ାଉଛି ଓଡ଼ିଆ ଆଇଏଏସ୍ ସଂଖ୍ୟା
ଭୁବନେଶ୍ବର, (ୱାଇଏନ୍ଏସ୍): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ରେ ଦିନକୁ ଦିନ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଉତ୍ତିର୍ଣ୍ଣ ସଂଖ୍ୟା କମୁଥିବାରୁ ସରକାର ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି । ପ୍ରତିବର୍ଷ ଆଇଏଏସ୍ ପରୀକ୍ଷାରେ ଓଡ଼ିଶାର ସଫଳତା ହାର ଅନ୍ୟ ରାଜ୍ୟ ତୁଳନାରେନିରାଶଜନକ ରହିଛି । ପ୍ରତିବର୍ଷ କିପରି ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥିନିମନ୍ତେ ସରକାର ପ୍ରାର୍ଥୀଙ୍କ ପିଛା ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଯୋଗାଇ ଆଇଏଏସ୍ ବନାଇବାକୁ ଉଚ୍ଚଶିକ୍ଷା ବିଭାଗକୁ ନିଦେ୍ର୍ଦ୍ଦଶ ଦେଇଛନ୍ତି । ପ୍ରତିବର୍ଷ ୧୦୦ ବିଦ୍ୟାର୍ଥୀଙ୍କୁ ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଶିକ୍ଷା (କୋଚିଂ) ଦିଆଯାଉଛି। ଶିକ୍ଷାବର୍ଷ ୨୦୧୯-୨୦ରେ ଉଚ୍ଚଶିକ୍ଷା ବିଭାଗ ୯୯ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ଭୁବନେଶ୍ବର ପଟିଆସ୍ଥିତ ଧେୟା ଆଇଏଏସ୍ କୋଚିଂ କେନ୍ଦ୍ରରେ ନାମଲେଖାଇ ଥିଲା। ବର୍ଷେକାଳ ଛାତ୍ରଛାତ୍ରୀ ଅଧ୍ୟୟନ କରି ୟୁପିଏସ୍ସି-୨୦୨୦ ପ୍ରାଥମିକ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବଜେଟରେ ଥିବା ଅର୍ଥ ବ୍ୟବସ୍ଥା ଅନୁଯାୟୀ ପ୍ରାୟ କୋଟିଏ ଟଙ୍କା ପ୍ରାର୍ଥୀଙ୍କ ପିଛା ଖର୍ଚ୍ଚ କରାଯାଇଛି। ହେଲେ ପରୀକ୍ଷା ଫଳକୁ ଦେଖିଲେ ପ୍ରଥମ ବର୍ଷ ଏ ଯୋଜନାରେ ସଫଳତା ମିଳିନାହିଁ। ପ୍ରଥମ ବର୍ଷରେ ଯୋଜନାକୁ ଆଖି ଦୃଷ୍ଟିଆ ସଫଳତା ମିଳି ନଥିବାରୁ ଆଇଏଏସ୍ ତିଆରି ଯୋଜନା ଫିକା ପଡିଥିବା କୁହାଯାଉଛି।