ଚୁକ୍ତିଭିତିକ ନିଯୁକ୍ତିକୁ ତୁରନ୍ତ ବାତିଲ କରନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସରକାର ଅସାମ୍ବିଧାନିକ କ୍ରଂଟାକ୍‌ଚୁଆଲ ଆପଏଂଟମେଂଟ ରୁଲ ଆଣି ୨୦୧୩ ପରବର୍ତୀ ସମସ୍ତ ଗ୍ରୁପ-ବି, ସି ଓ ଡି ନିଯୁକ୍ତିକୁ ଠିକା କରିଦେଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରଣୀତ ଠିକା ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଶନିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଆବାହକ ସତ୍ୟ ପ୍ରକାଶ ନାୟକ କହିନ୍ତି ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର ଗୁରୁତ୍ୱପୂର୍ଣ୍ଣ ରାୟ ଓ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା ଦେବାର ନିୟମକୁ ଓଡ଼ିଶାରେ ତୁରନ୍ତ ଲାଗୁ କରାଯାଉ । ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ଓପିଏସ୍‌ସି, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତି ବୋର୍ଡ ଦ୍ୱାରା ସିଧାସଳଖ ଭାବେ ଦୁଇ କିମ୍ବା ତିନି ପର୍ଯ୍ୟାୟରେ ଉତୀର୍ଣ୍ଣ ହେଲାପରେ ଯୋଗ୍ୟ ବିବେଚିତ ହୋଇ ମୁତୟନ ହୋଇଥିବା ସମସ୍ତ ବିଭାଗର ଯୁବକର୍ମଚାରୀ ମାନଙ୍କୁ ୬ ବର୍ଷ ଯାଏଁ ଦିନ ମଜୁରୀ ଠାରୁ କମ ପାରିଶ୍ରମିକରେ ସରକାର କାମରେ ଖଟାଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ।
କ୍ରଂଟାକ୍‌ଚୁଆଲ ଆପଏଂଟମେଂଟ ରୁଲ ୨୦୧୩ ଅନୁସାରେ ସେମାନଙ୍କୁ କେବଳ ସେହି ପଦବୀର ମୂଳ ଦରମା ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ୭ମ ବେତନ କମିଶନଙ୍କ ସୁପାରିଶ ପରେ ଯେତେବେଳେ ସବୁ ପଦବୀର ମୂଳ ଦରମା ବଡ଼ିଲା ସେତେବେଳେ ୨୦୧୭ ମସିହାରେ ସରକାର ଅନ୍ୟାୟ ଭାବେ ଏକ ସଂଶୋଧନ ପ୍ରସ୍ତାବ ଆଣି ସେମାନଙ୍କୁ ମୂଳ ଦରମାରୁ ବଂଚିତ କଲେ । ଆଜିର ଦିନରେ ଓଡ଼ିଶାରେ ଉଚ୍ଚକୁଶଳୀ ଶ୍ରମିକଙ୍କ ଦିନକୁ ମଜୁରୀ ୪୬୧ ଟଙ୍କା ଓ ମାସକୁ ୧୩୮୩୦ ଟଙ୍କା ହୋଇଥିବା ବେଳେ ସରକାରୀ ନିଯୁକ୍ତିରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଦରମା ମାତ୍ର ୮୭୫୦ ଟଙ୍କା ସରକାରଙ୍କ ସମ୍ବେଦନହୀନତାକୁ ସୂଚେଇ ଦେଉଛି । ରାଜ୍ୟ ସରକାର ଅବସର ଗ୍ରହଣ କରୁଥିବା କର୍ମଚାରୀ ମାନଙ୍କୁ ପୁର୍ନବାର ନିଯୁକ୍ତି ଦେଉଥିବା ବେଳେ ନୂତନ ନିଯୁକ୍ତି ଉପରେ ଅଂକୁଶ ଲଗାଇ ରାଜ୍ୟର ଲକ୍ଷ ଲକ୍ଷ ଶୀକ୍ଷିତ ବେକାର ଯୁବକଯୁବତୀ ମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅଭିଯୋଗ କରିଛି କଂଗ୍ରେସ ।ସରକାରୀ ଚାକିରୀରେ ଠିକା କର୍ମଚାରୀ ଏବଂ ବିଭିନ୍ନ ଆଉଟସୋରର୍ସିଂ ସଂସ୍ଥା ଜରିଆରେ ଯେଉଁ ଠିକା କର୍ମଚାରୀଙ୍କୁ କମ ଦରମାରେ ନିଯୁକ୍ତି ଦିଆଯାଉଛି ଏ ବାବଦରେ ସରକାର ଅତିକମ୍‌ରେ ମାସକୁ ୧୬୬ କୋଟି ଏବଂ ବର୍ଷକୁ ୨୦୦୦ କୋଟି ଟଙ୍କା ହଡ଼ପ କରୁଛନ୍ତି । ବର୍ଷ ବର୍ଷ ଧରି ଏଭଳି ଶହ ଶହ କୋଟି ଟଙ୍କା ଯାହାକି ସରକାରୀ ଦପ୍ତରରେ ଠିକାରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ପେଟରୁ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହା ସହିତ ଆଉଟସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା , ସରକାରୀ ଚାକିରୀରେ ସମସ୍ତ ପ୍ରକାର ଠିକା ନିଯୁକ୍ତିକୁ ବନ୍ଦ କରି ନିୟମିତ ନିଯୁକ୍ତି ପ୍ରଦାନ କରିବା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସମାନ କାମକୁ ସମାନ ଦରମା ନୀତି ଆପଣାଯାଉ ଏବଂ ଯେଉଁ ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ନ ଦେଇଛନ୍ତି ୭ମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଗ୍ରେଡପେ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ