ଦୁଖଃ ଜଣାଇବେ କାହାକୁ :ଡିମିରିଆ-ଧାଇପୋଖରୀ ରାସ୍ତା ନିର୍ମାଣ ହେଉନି, ହିନସ୍ଥା ହେଉଛନ୍ତି ଗ୍ରାମବାସୀ

ହାଟଡିହି, (ବିକାଶ ବିଶ୍ୱାଳ): ଶାବଣୀ ଗ୍ରାମବାସୀମାନେ ସେମାନଙ୍କ ରାସ୍ତା ସମସ୍ୟା ନେଇ କାହାକୁ ଦୁଖଃ ଜଣାଇବେ ସେନେଇ ଚିନ୍ତାରେ ପଡିଛନ୍ତି । ସରପଞ୍ଚ ଏହା ପଞ୍ଚାୟତ ରାସ୍ତା ନୁହଁ ବୋଲି କହୁଥିବାବେଳେ ଆର.ଡି ବିଭାଗ ମଧ୍ୟ ଏହା ତାଙ୍କ ବିଭାଗକୁ ଆସିନାହିଁ ବୋଲି କହୁଛନ୍ତି । ତେଣୁ ସେମାନେ କାହାକୁ ଦୁଖଃ ଜଣାଇବେ ବୋଲି ପ୍ରଶ୍ନ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଡିମିରିଆ-ଧାଇପୋଖରୀ ରାସ୍ତା ନିର୍ମାଣ ହେଉ ନଥିବାରୁ ଶାଳବଣି ଗ୍ରାମର ଗ୍ରାମବାସୀମାନେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି । ଗ୍ରାମବାସୀମାନେ ଏନେଇ ଦୀର୍ଘ ୫ବର୍ଷ ହେଲା ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏବାବଦରେ କର୍ଣ୍ଣପାତ କରୁ ନାହାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ହାବଳେଶ୍ୱର ପଞ୍ଚାୟତର ଶାଳବଣି ଗାଁରେ ୬୫ରୁ ଉର୍ଦ୍ଧ ପରିବାର ବାସ କରୁଥିବାବେଳେ ଡିମିରିଆ ଠାରୁ ଧାଇପୋଖରୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଉପରେ ଏମାନେ ନିର୍ଭରଶୀଳ । ଗାଁରୁ ବାହାରକୁ ବାହାରିବା ପାଇଁ ଏହି ଗୋଟିଏ ମାତ୍ର ରାସ୍ତା । ଗ୍ରାମର ୩୫୦ରୁ ଉର୍ଦ୍ଧ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ୫/୬ଟି ଗାଁର ସ୍କୁଲ ପିଲାମାନେ ଭାନୁପ୍ରଭା ହାଇସ୍କୁଲ ଜମ୍ଭରା, ଶାଳବଣି ୟୁ.ପି ସ୍କୁଲ ଆଦିକୁ ଯାତାୟତ କରିଥାନ୍ତି । ରାସ୍ତାଟି ପଞ୍ଚାୟତ ଅଧିନରେ ଥିବାବେଳେ ଏହାକୁ ଆର.ଡି ବିଭାଗକୁ ହସ୍ତାନ୍ତର ପାଇଁ ପଞ୍ଚାୟତ ସମିତି ବୈଠକରେ ଏକ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବର ଫାଇଦାନେଇ ପଞ୍ଚାୟତ କର୍ତ୍ତୁପକ୍ଷ ୫ବର୍ଷ ହେଲା ଏହି ରାସ୍ତାଟିକୁ ନିର୍ମାଣ କିମ୍ବା ମରାମତି ମଧ୍ୟ କଲେନି । ଯାହାଦ୍ୱାରା ଆଣ୍ଠୁଏ ଆଣ୍ଠୁଏ ଗଭୀରର ଖାଲଖମାରେ ରାସ୍ତାଟି ପରିପୁର୍ଣ୍ଣ ହୋଇଯାଇଛି । ନାଁ ଧାଇପୋଖରୀ ପଟୁ ଆସି ହେଉଛି ନା ଡିମିରିଆ ପଟୁ ଗାଁ ଭିତରକୁ ଯାଇ ହେଉଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ନିଜ ଆଖିରେ ନଦେଖିଲେ କେହି ବିଶ୍ୱାଷ କରିବେନି । ଗାଁ ଭିତରକୁ ବାଇକ କିମ୍ବା ୪ଚକିଆ ଗାଡିଟିଏ ଯାଇ ପାରୁନି । ଏପରିକି ଦୈବୀ ଦୁର୍ବିପାକ ବେଳେ ଆମ୍ବୁଲାନସ କିମ୍ବା ଦମକଳଟିଏ ଯିବା ସମ୍ଭବପର ନୁହଁ । ଫଳରେ ଏହି ଗାଁର ଲୋକମାନେ ଏବେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ଆର.ଡି ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମଥୂୁରାପୁର ପୋଲ ଠାରୁ ଧାଇପୋଖରୀ ପର୍ଯ୍ୟନ୍ତ ରାସ୍ତାଟି ଆର.ଡି ବିଭାଗ ଅଧିନରେ ସାମିଲ କରିବାପାଇଁ ପ୍ରପୋଜାଲ ଯାଇଛି, ତାହା ଆପ୍ରୁଭ ହୋଇ ଆସିଲେ ଯାଇ ରାସ୍ତା ତିଆରି ହେବ । କିନ୍ତୁ ବର୍ତ୍ତମାନ ସୁଧା ଏହା ଆର.ଡି ବିଭାଗର ନୁହଁ । ଅନ୍ୟପଟେ ସରପଞ୍ଚ ଅନୁସୁୟା ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଳାଇଛି । ତେଣୁ ଆମେ କିପରି ରାସ୍ତା ନିର୍ମାଣ କରିବୁ ବୋଲି ସଫେଇ ଦେଉଛନ୍ତି । କିନ୍ତୁ ରାସ୍ତାଟି କୁ ଆର.ଡି ବିଭାଗକୁ ହସ୍ତାନ୍ତର ପାଇଁ ପ୍ରସ୍ତାବ ଦିଆଯିବା ମାନେ କଣ ରାସ୍ତାଟି ଆର.ଡି ବିଭାଗକୁ ପଳାଇଲାକି ବୋଲି ଗ୍ରାମବାସୀମାନେ ଓଲଟା ପ୍ରଶ୍ନ କରିଛନ୍ତି । ପଞ୍ଚାୟତର ସରପଞ୍ଚ ଙ୍କ ଆମ ଗ୍ରାମପ୍ରତି ଥିବା ବୈମାତୃକ ମନୋଭାବ ଯୋଗୁଁ ଆଜି ଆମେ ଏପରି ଅବସ୍ଥା ଭୋଗୁଛୁ ବୋଲି ଗ୍ରାମର ରାଜକିଶୋର ପରିଡା, ଅଭିମନ୍ୟୁ ମହାନ୍ତି, କୃଷ୍ଣଚନ୍ଦ୍ର ଜେନା, ବାବାଜି ମହାନ୍ତି, ସୁଦର୍ଶନ ମଲ୍ଲିକ, ଅଭିମନ୍ୟୁ ପରିଡା, ପୁର୍ଣ୍ଣଚନ୍ଦ୍ର ହାତୀ, ସୁନିଲ କୁମାର ମଲ୍ଲିକ, ଲକ୍ଷ୍ମୀଧର ଜେନା, ଅକ୍ଷୟ କୁମାର ମହାନ୍ତି, ବାବନ ମହାନ୍ତି ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ