‘ଟାଟା ପାୱାର’ର ଖାମଖିଆଲି କାର୍ଯ୍ୟଧାରାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ନର୍ଥ ଓଡ଼ିଶା ବିଦ୍ୟୁତ ଗ୍ରାହକ ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା ): ଉତ୍ତର ଓଡିଶାରେ ବିଦ୍ୟୁତ ବିତରଣରେ ଅନିୟମିତା ତଥା ଆର୍ଥକ ଶୋଷଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ‘ନର୍ଥ ଓଡ଼ିଶା ବିଦ୍ୟୁତ ଗ୍ରାହକ ସଂଘ’ ।ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତା ଗିରିଜା ଶଙ୍କର ଦାସ, ବିକ୍ରମ ପଣ୍ଡା, ବିଜୟ ପାଣିଗ୍ରାହୀ, ଭୁବନ ମୋହନ ଦାସ, ଆଶିଷ ଘୋଷ, ସଦାନନ୍ଦ ମହାନ୍ତି, ସୁଖମୟ ଦାସ, ଶ୍ରଦ୍ଧାଞ୍ଜଳି ରାୟ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ବିଦ୍ୟୁତ୍ ଗ୍ରାହକମାନେ ସମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା ସୂଚନା ଦେଇଥିଲେ । ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବାଠାରୁ ଉପଭୋକ୍ତାଙ୍କ ଉପରେ ଅପ୍ରତ୍ୟାଶିତ ଆର୍ଥକ ବୋଝ ଲଦି ଦିଆଯାଉଥିବା ସେମାନେ କହିଥିଲେ । ଜାଣିଶୁଣି ବିଦ୍ୟୁତ ବିଲ ପ୍ରଦାନରେ ବିଳମ୍ବ କରାଯିବା ଯୋଗୁଁ ହେଉଥିବାରୁ ଉପଭୋକ୍ତାଙ୍କୁ ଉଚ୍ଚ ସ୍ଲାବରେ ଅଧିକ ବିଜୁଳି କର ଦେବାକୁ ପଡ଼ୁଛି । ଅନ୍ୟପକ୍ଷରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଟାଟା ପାୱାର ପକ୍ଷରୁପୁଣି ନୂଆ ମିଟର ବସାଇବାକୁ ଚାଲିଥିବା ଉଦ୍ୟମକୁ ସଂଘ ପକ୍ଷରୁ ସମାଲୋଚନା କରାଯାଇଛି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବିଦ୍ୟୁତ ଦର ଅଧିକ ହୋଇଥିବାରୁ ଏହାର ପୁନଃର୍ବିଚାର ପାଇଁ ଦାବି କରାଯାଇଛି । ସମଗ୍ର ବାଲେଶ୍ୱର ଜିଲାରେ ଇଲେକଟ୍ରିକ ସବଷ୍ଟେସନଗୁଡିକ ବିପର୍ଯ୍ୟସ୍ତ ଓ ବିପଦ ସଙ୍କୁଳ ଅବସ୍ତା ରହିବା, ବହୁଦିନର ପୁରୁଣା ତାର ଓହଳି ପଡ଼ିବା ଯୋଗୁଁ ସହର ସମେତ ଗ୍ରାମାଞ୍ଚଳର ଲୋକେ ପ୍ରତିଟି ସମୟରେ ଅସୁରକ୍ଷିତ ମଣୁଛନ୍ତି । ଏଲଟି ତାରଗୁଡିକ ତଳକୁ ଓହଳି ରହିଥିବାରୁ ଯେ କୌଣସି ମୁହୂର୍ତରେ ଦୁର୍ଘଟଣା ହେବାର ଆଶଙ୍କା ଦେଖାଯାଇଛି । ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟା ସମାଧାନ ଦିଗରେ ଟାଟା ପାୱାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ ନ କଲେ ଉପଭୋକ୍ତା ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଗଠନର କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।


