‘ନିଖିଳ ଓଡ଼ିଶା ଆୟୁଷ ଡାକ୍ତର ସଂଘ’ର ଅସହଯୋଗ ଆନ୍ଦୋଳନ ୨ରୁ
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ଥାୟୀ ନିଯୁକ୍ତି ଦାବିରେ ନିଖିଳ ଓଡ଼ିଶା ଆୟୁଷ ଡାକ୍ତର ସଙ୍ଘ, ବାଲେଶ୍ୱର ଶାଖା ପକ୍ଷରୁ ଜିଲାପାଳ ଓ ଜିଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସୋମବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲା ସଂଘର କର୍ମକର୍ତ୍ତାଙ୍କ ଆରୋପ ଅନୁସାରେ ବାଲେଶ୍ୱର ଜିଲାରେ ୭୨ ଜଣଙ୍କ ସମେତ ଓଡ଼ିଶାରେ୧୧୫୫ ଜଣ ଆୟୁଷ ଡାକ୍ତର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୦୭ ମସିହାରୁ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୪ ବର୍ଷ ଧରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିଲେ ବି ଏହି ଡାକ୍ତରଙ୍କୁ ଅଦ୍ୟାବଧି ନିୟମିତ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଂଘର କର୍ମକର୍ତ୍ତମାନେ କହିଛନ୍ତି । ଏନେଇ ରାଜ୍ୟ ସଙ୍ଘ ଆହ୍ୱାନ କ୍ରମେ ଗତ୧୫ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଦାବି ପୂରଣ ନେଇ ସରକାର ଉଚିତ ପଦକ୍ଷେପ ନ ନେଲେ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀଠାରୁ ସମଗ୍ର ରାଜ୍ୟରେ ଆୟୁଷ ଡାକ୍ତରମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ପାରାମେଡିକାଲ୍ସଙ୍କୁ ନିୟମିତ କରାଯାଇଥିଲା । ଏହି ସମୟରେ ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରାଯିବା ନେଇ ସରକାରଙ୍କ ପକ୍ଷରୁ ଆଶ୍ୱାସନା ମଧ୍ୟ ଦିଆଯାଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ନ ହେବା କେଉଁ ନ୍ୟାୟରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବନ୍ୟା, ବାତ୍ୟା ହେଉ ଅବା କୋଭିଡ ମହାମାରୀ, ପ୍ରତିଟି କ୍ଷେତ୍ରରେ ଆୟୁଷ ଡାକ୍ତରମାନେ ନିଷ୍ଠାର ସହ ରୋଗୀ ସେବା କରିଆସିଛନ୍ତି । ବିଶେଷ କରି ପଞ୍ଚାୟତ ସ୍ତରରେ ସ୍ୱାସ୍ଥ୍ୟ ସେବାର ଉନତି ଆଣିବାରେ ଆୟୁଷ ଡାକ୍ତରଙ୍କ ଭୂମିକା ଉଲେଖନୀୟ ଥିବା ବେଳେ ସରକାର ସେମାନଙ୍କୁ ଉପେକ୍ଷା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଡାକ୍ତର ଗତିକୃଷ୍ଣ ପଣ୍ଡା, ଡାକ୍ତର ଅମୀୟ, ଡାକ୍ତର ସମରେନ୍ଦ୍ର ଦେ ପ୍ରମୁଖ ସଙ୍ଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


