ଗଜପତିର ମାଣିକପାଟଣା ପରେ ଏବେ ଗୁଡିଖୁଡିରେ ଆନ୍ଧ୍ରର ଦାଦାଗିରି ଉତ୍କଳ ସମ୍ମିଳନୀର ଉଦ୍‌ବେଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତିର ମାଣିକପାଟଣା ପରେ ଏବେ ଗୁଡିଖୁଡି ମୌଜାରେ ଆନ୍ଧ୍ରର ଦାଦାଗିରି ଯୋଗୁଁ ନୂଆ ବିବାଦ ମୁଣ୍ଡ ଟେକିଛି । ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସୂତ୍ରରୁ ପ୍ରକାଶ ଯେ, ଗଜପତିର ଗଙ୍ଗାବାଡ ଗ୍ରାମ ପଞ୍ଚାୟତର ୨୪ ଗୋଟି ମୌଜା ଓ ୨ଗୋଟି ନୂତନ କଲୋନୀ ମିଶି ମୋଟ ୨୬ଗୋଟି ଗ୍ରାମ ମଧ୍ୟରୁ ଆଖଡା,ମାଣିକପାଟଣା,ଚମ୍ପାପୁର,ବୁରୁସିଂ,ଅମାରିଙ୍ଗି,ଗୁଡିଖୁଡି ଏବଂ ମାଝିଆଖୋଲ ଆନ୍ଧ୍ର ସୀମାକୁ ଲାଗିଛି । କିଛିଦିନ ପୂର୍ବେ ମାଣିକପାଟଣାରେ ଆନ୍ଧ୍ରର ଅଧିକାରୀ ପ୍ରବେଶ ଓ ଦାଦାଗିରି ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି ହୋଇଥିଲା । ଏବେ ଗୁଡିଖୁଡି ମୌଜାରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିବା ନଜରକୁ ଆସିଛି । ସେଠାରେ ୨୦୧୦ରୁ ସ୍ଥାପିତ ଓଡିଶାର ଅଙ୍ଗନୱାଡି କେନ୍ଦ୍ରକୁ କୌଣସିମତେ ବନ୍ଦକରି ଆନ୍ଧ୍ରର ଏକ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରିବାକୁ ଲକ୍ଷ୍ୟ ରଖି ଲୋକଙ୍କୁ ବିଭ୍ରାନ୍ତ କରି ଆନ୍ଧ୍ର ମୁହାଁ କରିବାକୁ ଉଦ୍ୟମ ଚାଲିଛି । ଇତି ମଧ୍ୟରେ ଆନ୍ଧ୍ରର ମଞ୍ଜୁଷା ପୋଲିସ ଗୁଡିଖୁଡି ଆସି ଓଡିଶାର ଅଙ୍ଗନୱାଡି କର୍ମୀଙ୍କୁ ଧମକ ଦେଇ ଫେରିଥିବା ଅଭିଯୋଗ ହେଉଛି । ପ୍ରାୟ ୩୦ବର୍ଷ ପୂର୍ବେ କଳିଙ୍ଗ ଦଳ ବନ୍ଧ ନିର୍ମାଣ ବେଳେ ଓଡିଶାର ପ୍ରତିବାଦ ହେତୁ ଦୁଇ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆପୋଷ କରାଯାଇ ସଂପୃକ୍ତ ଜମି ଓଡିଶାର ବୋଲି ଉଭୟପକ୍ଷ ରାଜିନାମା ସ୍ୱାକ୍ଷର କରିଥିବା ସତ୍ତ୍ୱେ ପୁଣି ଆନ୍ଧ୍ର ସେଠାରେ ଅଯଥା ବିବାଦ ଆରମ୍ଭ କଲାଣି । ଏପରି କି ଗୁଡିଖୁଡିକୁ ଗୁଡିଖଳା ନାମ ଦେଇ କିଛି ବ୍ୟକ୍ତିଙ୍କୁ ଆନ୍ଧ୍ର ସରକାର ଜମି ପଟ୍ଟା ବାଣ୍ଟିଥିବା ନଜରକୁ ଆସିଛି । ରାସନ ବଣ୍ଟନ ଓ ଆଧାର କାର୍ଡ ମଧ୍ୟ ଆନ୍ଧ୍ର ପକ୍ଷରୁ ଦିଆଯାଉଥିବା ଜଣା ପଡିଛି । ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଗୁଡିଖୁଡିରେ ସେମାନଙ୍କ କାର୍ଯ୍ୟ କରିଚାଲିଛନ୍ତି । କଳେବଳେ କୌଶଳେ ଗୁଡିଖୁଡି ମୌଜାକୁ ଆନ୍ଧ୍ରରେ ସାମିଲ କରିବାକୁ ଉଦ୍ୟମ ଅବ୍ୟାହତ ଥିବା ବେଳେ ସେହି ମୌଜାକୁ ନେଇ ଓଡିଶାର ପାତ୍ରପୁର ଓ ଗଜପତିର ରାୟଗଡ ବ୍ଲକ ମଧ୍ୟରେ ଟଣା ଓଟରା ଚାଲିଥିବା ହାସ୍ୟସ୍ପଦ ଅଟେ । ଗୁଡିଖୁଡିରେ ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତ ମାଧ୍ୟମରେ ରାସନ ଓ ଅନ୍ୟାନ୍ୟ ସୁବିଧା ସହ ସେଠାକାର ସ୍ୱାସ୍ଥ୍ୟ କର୍ମୀମାନେ ବିଭିନ୍ନ କାର୍ଯ୍ୟ କରିବା ଦ୍ୱାରା ସେଠାରେ ଦୁଇଟି ବ୍ଲକର ଦ୍ୱୈତ ପ୍ରସାଶନ ଚାଲିଛି । ପାରଳାଖେମୁଣ୍ଡି ଆଇଟିଡିଏ ପକ୍ଷରୁ ଗୁଡିଖୁଡିରୁ ଗଙ୍ଗାବାଡ ରାସ୍ତା ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରି ଦୁଇଗୁଣ ସୁବିଧା ପ୍ରଦାନ କରୁଥିବା ସତ୍ତ୍ୱେ ଲୋକେ ଏବେ ଆନ୍ଧ୍ର ମୁହାଁ ହେବା ପରିତାପର ବିଷୟ । ଗୁଡିଖୁଡିକୁ ତୁରନ୍ତ ବିଡିଓ,ତହସିଲଦାର ଓ ସିଡିପିଓ ମିଳିତ ଭାବେ ଗସ୍ତ କରି ଙକ୍ତ ସମସ୍ୟା ଅଧିକ ଜଟିଳ ହେବା ପୁର୍ବରୁ ତାର ସମାଧାନ କରିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଦାବି କରାଯାଇଛି । ଏହା ବ୍ୟତୀତ ଚମ୍ପାପୁର,ମାଣିକ ପାଟଣା ଗୁଡିଖୁଡିରେ ଆନ୍ଧ୍ର ସୀମାରେ ଓଡିଆରେ ଓଡିଶାର ସୂଚନା ଫଳକ ଲଗାଇବା ଉପରେ ଉତ୍କଳ ସମ୍ମିଳନୀ ଗୁରୁତ୍ୱାରୋପ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ