ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଞ୍ଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନଶକ୍ତି ଗୃହ ନିର୍ମାଣକୁ ସେହି ପଞ୍ଚାୟତର ମହିଳାମାନେ ବିରୋଧ କରିଛନ୍ତି । ସେହି ଗୃହଟିକୁ ପଞ୍ଚାୟତର ମଧ୍ୟ ସ୍ଥଳରେ ଅର୍ଥାତ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ନିର୍ମାଣ କରିବା ପାଇଁ ରାଜନଗର ବିଡିଓଙ୍କୁ ଭେଟି ମହିଳାମାନେ ନିବେଦନ କରିଥିଲେ । ଏହା ବ୍ୟତିତ ସେମାନେ ଅଭିଯୋଗ କରିଥିଲେ ଯେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏହି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଥିବା ବେଳେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ସେହି ଗୃହ ନିର୍ମାଣ ଦାୟିତ୍ୱ ଜନୈକ ଠିକାଦାରଙ୍କ ଉପରେ ନ୍ୟସ୍ତ କରିଛନ୍ତି । ସେହି ଠିକାଦାର ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରୁଥିବାରୁ ବାତ୍ୟା ପ୍ରବଣ ସାତଭାୟା ପଞ୍ଚାୟତରେ ଏହି ମହିଳା ମିଶନଶକ୍ତି ଗୃହର ସ୍ଥାୟୀତ୍ୱ ଉପରେ ସ୍ୱୟଂ ସହାୟିକା ଗୋଷ୍ଠିିର ମହିଳାମାନେ ସନ୍ଦେହ କରିବା ସହିତ ଏହାର ନିର୍ମାଣକୁ ବିରୋଧ କରି ବିଡିଓଙ୍କୁ ତଦନ୍ତ ପାଇଁ ନିବେଦନ କରିଥିଲେ । କିନ୍ତୁ ଜଣେ ପ୍ରଭାବଶାଳୀ ଶାସକ ଦଳର ରାଜନୈତିକ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟ କରୁଥିବାରୁ ବିଡିଓ ସେଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ରୋକ୍‌ଠୋକ୍ ଭାବେ ମନା କରିଦେଇଥିଲେ । ଠିକାଦାର ଜୋରଜବରଦସ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବାରୁ ସମ୍ପୃକ୍ତ ଠିକାଦାର ନିର୍ମାଣ ସ୍ଥଳକୁ ପୋଲିସ ଡାକି ମହିଳାମାନଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ରାଜନଗର ବିଡିଓଙ୍କଠାରୁ ନ୍ୟାୟ ନପାଇ ସାତଭାୟା ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ସୋମବାର ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହିତ ଏହାର ତଦନ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ । ମହିଳାମାନଙ୍କ ଅଭିଯୋଗ ଉପରେ ଉପଜିଲ୍ଲାପାଳ ଶ୍ରୀ ବେହେରା ରାଜନଗର ବିଡିଓ, ରାଜନଗର ତହସିଲଦାର ଏବଂ ରାଜନଗର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ମିଳିବା ପରେ ସେ ଜିଲ୍ଲାପାଳଙ୍କ ସହିତ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ନେତ୍ରୀ ମମିନା ସାହାଣୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ