ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଉପହାର କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଗୁରୁବାର ଉପହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୭ ବର୍ଷ ଧରି ଦୀପାବଳି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । କରୋନା ମହାମାରୀ ଯୋଗୁଁ ସ୍ୱଳ୍ପ ସଂଖ୍ୟକ ୫୧ ଜଣ ଭିନ୍ନକ୍ଷମ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅନୁଷ୍ଠାନ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇ ଆସିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଏସ୍. ପ୍ରଭାକର ରାଓ, ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଉପସଭାପତି ନାରାୟଣ ସାହୁ, ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟକାରୀ ସଦସ୍ୟ ଚିରଞ୍ଜିବୀ ପାତ୍ର ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମତାର ନିରାକରଣ ଓ ଥଇଥାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ମାସ୍କ, ବାଲଟି, ରାସନ ସାମଗ୍ରୀ, କମ୍ବଳ ସହିତ କିଛି ଅର୍ଥ ରାଶି ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡ. କେ. ଆନନ୍ଦ ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ଥ ର ସମସ୍ତ କର୍ମଚାରୀ ମାନେ ସହ ଯୋଗ କରିଥିଲେ । ଶେଷରେ ଶ୍ରୀ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।