ବଜାରରେ ମିଳୁଛି ଅପମିଶ୍ରିତ ଖାଦ୍ୟ: ଖାଦ୍ୟ ନିରାପତ୍ତା ବିଭାଗର ଭାଙ୍ଗୁନି ନିଦ୍ରା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଅସ୍ତରଙ୍ଗ ଓ କାକଟପୁରର ମୁଖ୍ୟ ବଜାରଠୁ ଆରମ୍ଭ କରି ପ୍ରତି ଗାଁର ଗଳି କନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବିଷ । ପୋଡା ତେଲରେ ୧୦ ଥର ଗରମ କରି ପକୋଡି, ବରା, କାକରା,ଆଳୁଚପ ଛାଣୁଛନ୍ତି , କ୍ୟାନସର ଜନ୍ମଦାତା ବିକ୍ରି ହେଉଛି ସନ୍ଧ୍ୟା ଷ୍ଟଲରେ। ବାସୀ ମିଷ୍ଟାନ୍ନ,ରଙ୍ଗ ମିଶା ଚାଉମିନ୍, ଚାଟ, ଦହିବରା ଆଳୁଦମ୍, ଅପମିଶ୍ରିତ ଟିଫିନ୍ ଲୋକଙ୍କ ପେଟକୁ ପାପ ଭର୍ତ୍ତି ହୋଇ ଯାଉଛି। ଆଉ ଖାଦ୍ୟ ନିରାପତ୍ତା ବିଭାଗ ? ସେମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି। ସୂଚନା ମୁତାବକ ,ଅସ୍ତରଙ୍ଗ ଓ କାକଟପୁର ମୁଖ୍ୟ ବଜାର ହେଉ କି ଗ୍ରାମାଞ୍ଚଳ ର ଯେମିତିକି ଆନ୍ନନ୍ଦ ବଜାର,କୁଣ୍ଢେଇ ହାଟ, ନୂଆଗଡ, ଆଳସାହି, ନଗର, ପୋଟଳ ଛକ, ଖଣ୍ଡାସାହି ଛକ, କୁଣ୍ଡେଶ୍ୱର ଛକ, କଣମଣ ରେ ଅଧିକାଂଶ ମିଷ୍ଟାନ୍ନ ଦୋକାନରେ ପୂର୍ବ ଦିନର ବାସୀ ବରା, ଆଳୁଚପ୍ କୁ ରାତିରେ ଫ୍ରିଜି ରେ ରଖି ପୁନର୍ବାର ପୋଡା ତେଲ ଛାଣି ବିକ୍ରି କରୁଛନ୍ତି ।ରସଗୋଲା, ଛେନାଗଜା ସହ ମିଠା ସାମଗ୍ରୀ କୁ ପୁନର୍ବାର ସିରାରେ ଫୁଟାଇ ନୂଆ ନାଁରେ ବିକ୍ରି ହେଉଛି। ଫାଷ୍ଟଫୁଡ୍ ଦୋକାନୀମାନେ ୧୦ଟଙ୍କିଆ ଟେକ୍ସଟାଇଲ୍ ରଙ୍ଗ ମିଶାଇ ଖାଦ୍ୟକୁ ଆକର୍ଷଣ କରୁଛନ୍ତି। ନିମ୍ନ ମାନର ଟମାଟୋ ଓ ଚିଲ୍ଲୀ ସସ ଗ୍ରାହକ ଙ୍କୁ ଦେଉଛନ୍ତି।ପୋଡା ତେଲରୁ ବାହାରୁଥିବା ବିଷାକ୍ତ ଧୂଆଁ ଲୋକଙ୍କ ଫୁସଫୁସ୍ ନଷ୍ଟ କରୁଛି।ଫଳ? ଗ୍ୟାଷ୍ଟ୍ରିକ୍, ଲିଭର ଡ୍ୟାମେଜ୍, କିଡନୀ ଫେଲ୍ – ହସ୍ପିଟାଲରେ ଲାଇନ୍ ଲାଗୁଛି, କିନ୍ତୁ ମୂଳ କାରଣ ଉପରେ କାହାର ନଜର ନାହିଁ। ସବୁଠୁ ଲଜ୍ଜାଜନକ କଥା ହେଉଛି ପ୍ରଶାସନର ମୁନ୍ଦାମାରି। ଗତ ବର୍ଷ ରଥଯାତ୍ରା ସମୟରେ ଖାଦ୍ୟ ନିରାପତ୍ତା ଅଧିକାରୀ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଫଟୋ ଉଠାଇ, ପାଣି-ପାଉଚର ନମୁନା ନେଇ ଚାଲିଗଲେ। ତାହା ପରଠୁ ଆଜି ପର୍ଯ୍ୟନ୍ତ ସେ ରିପୋର୍ଟ ଫାଇଲରେ ଶୋଇଛି। ଗୋଟିଏ ବି ଦୋକାନ ସିଲ୍ ହେଲାନି, ଗୋଟିଏ ବି ଜରିମାନା ହେଲାନି। ଫଳରେ ଅସାଧୁ ବ୍ୟବସାୟୀଙ୍କ ଆକାଶ ଛୁଇଁଲାଣି। ଲାଇସେନ୍ସ ନାହିଁ, ସ୍ୱଚ୍ଛତା ନାହିଁ, ନିୟମ ନାହିଁ – କେବଳ ଲୋଭ ଓ ଲାଞ୍ଚର ଖେଳ। ଧୂଳି ଉଡୁଥିବା ରାସ୍ତା କଡରେ ଖୋଲା ଡେକ୍ଚିରେ ମିଷ୍ଟାନ୍ନ ତିଆରି ହେଉଛି। ମାଛି ବସୁଛି, କୁକୁର ଶୁଙ୍ଘୁଛି, ଆଉ ମଣିଷ ଖାଉଛି। ସ୍ଥାନୀୟ ଲୋକେ କ୍ଷୋଭରେ କହୁଛନ୍ତି । ଆମକୁ ମାରିବାକୁ ଚାହୁଁଛନ୍ତି କି ସରକାର? ଖାଇବା ଜିନିଷରେ ବି ସୁରକ୍ଷା ନାହିଁ । ଆଉ କେତେ ଜୀବନ ଗଲେ ଖାଦ୍ୟ ନିରାପତ୍ତା ବିଭାଗର ନିଦ ଭାଙ୍ଗିବ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରୁଛନ୍ତି ଅଞ୍ଚଳବାସୀ । ପ୍ରତି ଦୋକାନରେ ଚଢାଉ, ନମୁନା ଟେଷ୍ଟ, ଦୋଷୀଙ୍କୁ ଜେଲ୍ ଏଇଟା ହିଁ ଏବେ ସମୟର ଡାକ। ନଚେତ୍ ଅସ୍ତରଙ୍ଗରେ ଖାଦ୍ୟ ଖାଇ ମରିବା ପାଇଁ ଲୋକେ ପ୍ରସ୍ତୁତ ହୋଇଯାଆନ୍ତୁ।ଅପେକ୍ଷା ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ବିଭାଗ କେବେ ନେଉଛି କଡା ପଦକ୍ଷେପ ତାହା ହିଁ ସମସ୍ତ ଙ୍କ ନଜର।


