ଯୋଗୀ ଅରବିନ୍ଦଙ୍କ ସାମ୍ବାଦିକତାରେ ରାଷ୍ଟ୍ରୀୟତା
ସର୍ବେଶ୍ୱର ବେହେରା.
ସମସ୍ତେ ଯୋଗୀ ଅରବିନ୍ଦଙ୍କୁ ଜଣେ ମହାନ ବିପ୍ଳବୀ , ସ୍ୱାଧିନତା ସଂଗ୍ରାମୀ ,ଅଧ୍ୟାପକ ,ଜନନେତା ଓ ସର୍ବଶେଷରେ ଆଧ୍ୟାତ୍ମିକ ଗୁରୁ ରୂପେ ଜାଣନ୍ତି । କିନ୍ତୁ ସେ ଜଣେ ମହାନ ସାମ୍ବାଦିକ ଥିଲେ ଓ କେତେ ଗୁଡାଏ ପତ୍ରିକା ସମ୍ଫାଦନା କରୁଥିଲେ, ଏହା କମ୍ ଲୋକଙ୍କୁ ଜଣା । ତାଙ୍କ ଲେଖାରେ ରାଷ୍ଟ୍ରଭକ୍ତି ର ଜ୍ୱାଳା ଥିଲା , ଯାହା ତତ୍କାଳିନ ଯୁବ ସମାଜର ଅନ୍ତଃକରଣରେ ବହ୍ନିରୂପେ ପ୍ରଜ୍ୱଳିତ କରୁଥିଲା । ତାଙ୍କର ଲେଖାରେ ଅନୁପ୍ରାଣିତ ହୋଇ ଅନେକ ବିପ୍ଳବୀ ଓ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ସ୍ୱାଧିନତାର ଯଜ୍ଞରେ ଆହୁତି ଦେଇଥିଲେ । ତେଣୁ ତାଙ୍କୁ ଶ୍ରେଷ୍ଠ ରାଷ୍ଟ୍ରବାଦୀ ସାମ୍ବାଦିକ ରୂପେ ପରିଗଣିତ କରାଯାଏ ।
ଯୋଗୀ ଅରବିନ୍ଦ ୧୮୭୨ ମସିହା ଅଗଷ୍ଟ ମାସ ୧୫ ତାରିଖରେ କୋଲକୋତା ଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ସାତ ବର୍ଷ ବୟସରେ ସେ ବିଦ୍ୟାଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ । ୧୮୯୩ ମସିହା ଫେବୃୟାରୀ ୬ ତାରିଖରେ ସେ ବିଦ୍ୟାଶିକ୍ଷା ସମାପ୍ତ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ୧୮୯୩ ମସିହା ଜୁନ୍ ୨୬ ତାରିଖରେ ସେ ସର୍ବପ୍ରଥମେ ସାମ୍ବାଦିକତା କ୍ଷେତ୍ରରେ ପଦାର୍ପଣ କରିଥିଲେ । ସେ ଦିନ ତାଙ୍କ ଜୀବନର ପ୍ରଥମ ଲେଖା ମରାଠି ସାପ୍ତାହିକ ପତ୍ରିକା ‘ଇନ୍ଦୁ ପ୍ରକାଶ’ ରେ ‘ଭାରତ ଓ ବ୍ରିଟିଶ୍ ପାର୍ଲ୍ୟାମେଂଟ୍ ଶୀର୍ଷକ ରୂପେ ପ୍ରକାଶ ପାଇଥିଲା । ତା ପରଠାରୁ ସେହି ପତ୍ରିକାରେ ଧାରାବାହିକ ରୂପେ ତାଙ୍କର ଲେଖା ପ୍ରକାଶ ପାଇଲା ।ଏହି ସବୁ ଲେଖାଗୁଡିକ ରେ ସେ ‘ବନ୍ଦେମାତରଂ’ ରାଷ୍ଟ୍ରଗୀତ ର ପ୍ରଣେତା ଶ୍ରୀ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୀବନୀ ଓ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସେ ବଙ୍ଗଳାରୁ ଦୈନିକ ପ୍ରକାଶିତ ପତ୍ରିକା ଯୁଗାନ୍ତର ରେ ନିୟମିତ ଲେଖୁଥିଲେ । ତାଙ୍କର ବଡଭାଈ ଶ୍ରୀ ବରିନ୍ଦ୍ର ଘୋଷ ୧୯୦୬ ମାର୍ଚ୍ଚ ମାସରେ ଏହି ପତ୍ରିକା ପ୍ରତିଷ୍ଠା କରିଥିଲେ ।
୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ‘ବନ୍ଦେ ମାତରଂ’ ପତ୍ରିକା ଆତ୍ମପ୍ରକାଶ କଲା । ଶ୍ରୀ ଅରବିନ୍ଦ ସେହି ପତ୍ରିକାର ପ୍ରତିଷ୍ଠାକାଳରୁ ଶ୍ରୀ ବିପିନ ଚନ୍ଦ୍ର ପାଲଙ୍କ ସହଯୋଗୀ ସମ୍ଫାଦକ ରୂପେ କାର୍ଯ୍ୟ କରିଥିଲେ । ପ୍ରଥମେ ଏହା ଦୈନିକ ପତ୍ରିକା ରୂପେ ପରେ ୧୯୦୭ ଜୁନ୍ ୨ ତାରିଖରୁ ଏହା ସାପ୍ତାହିକ ପତ୍ରିକା ରୂପେ ପ୍ରକାଶ ପାଇଲା । ଶ୍ରୀଅରବିନ୍ଦଙ୍କ ଲେଖାଗୁଡିକ ରେ ରାଷ୍ଟ୍ର ଭକ୍ତିର ଭାବନା ଝଂକୃତ ହେଉଥିଲା । ସେତେବେଳେ ଇଂରେଜମାନେ ଷଡଯନ୍ତ୍ର କରି ୧୯୦୫ ମସିହାରେ ବେଙ୍ଗଲକୁ ଦୁଇଭାଗ କରିଥିଲେ । ଯାହା ବଙ୍ଗଭଙ୍ଗ ନାମରେ ସୁପ୍ରସିଦ୍ଧ । ଏହା ବିରୁଦ୍ଧରେ ଶ୍ରୀ ଅରବିନ୍ଦ ନିଜର ଲେଖା ମାଧ୍ୟମରେ ଦୃଢ଼ସ୍ୱର ଉତୋଳନ କରିଥିଲେ । ବିଦେଶୀ ପରାଧିନତାର ଶୃଙ୍ଖଳରୁ ମୁକ୍ତ ହୋଇ ଭାରତୀୟ ମାନେ ସ୍ୱାଧିନ ଜୀବନ ଯାପନ କରିବା ଆବଶ୍ୟକ । ଏଥିପାଇଁ ସମସ୍ତେ ସଂଗଠିତ ହୋଇ ସଂଘର୍ଷ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରୁଥିଲେ । ତାଙ୍କର ସାମ୍ବାଦିକତା ରେ ନିର୍ଭୟତା, ସ୍ୱାଧିନତା ଓ ରାଷ୍ଟ୍ରୀୟତା ମୂଳମନ୍ତ୍ର ଥିଲା । ଇଂରେଜମାନଙ୍କ କଠୋର ଦମନ ଲୀଳା ବିରୁଦ୍ଧ ରେ ନିର୍ଭୟ ହୋଇ ଜନ ମାନସ ରେ ରାଷ୍ଟ୍ରୀୟତାର ଜାଗରଣ କରୁଥିଲେ । ତାଙ୍କର ଲେଖାରେ ରାଷ୍ଟ୍ରୀୟତାର ଜ୍ଜ୍ୱାଳା ସହିତ ସଙ୍ଗଠନର ମନ୍ତ୍ର ଝଂକୃତ ହୋଇଥିଲା । ବହୁ ବିପ୍ଳବୀ ଙ୍କ ଅନ୍ତଃକରଣ ରେ ଏହି ବହ୍ନି ଜ୍ଜ୍ୱାଳାରେ ପରିଣତ ହୋଇଥିଲା । ସମଗ୍ର ସମାଜ ସଙ୍ଗଠନ ହୋଇ ଇଂରେଜ ବିରୁଦ୍ଧରେ ଦୃଢ଼ ସ୍ୱର ଉତୋଳନ କରିଥିଲେ । ଫଳରେ ଇଂରେଜମାନେ ବଙ୍ଗଭଙ୍ଗ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ ।
ଇଂରେଜ ମାନଙ୍କ କୋପ ଦୃଷ୍ଟି ବନ୍ଦେ ମାତରଂ ପତ୍ରିକା ଉପରେ ପଡିଲା । ୧୯୦୮ ଅକ୍ଟୋବର ୨୯ ତାରିଖରେ ଇଂରେଜମାନେ ବନ୍ଦେମାତରଂ ପତ୍ରକା ଉପରେ କଟକଣା ଜାରି କରି ତାର କାର୍ଯ୍ୟଳୟକୁ ବନ୍ଦ କରିଦେଇଥିଲେ । ପତ୍ରିକାର କଣ୍ଠରୋଧ କରାଗଲା , କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଲେଖା ଭାରତୀୟ ଜନମାନସରେ ଅଲିଭା ଛାପ ଉଦ୍ରେକ କରିଥିଲା ।ତାଙ୍କର ବନ୍ଦେମାତରଂ ପତ୍ରିକାରେ ଲେଖା ଗୁଡିକରେ ସେ ଇଂରେଜ ପ୍ରେରିତ ପାଶ୍ଚାତ୍ୟ ଚିନ୍ତନ ବିରୁଦ୍ଧରେ ଭାରତୀୟ ସନାତନ ଦର୍ଶନ କୁ ସ୍ୱଷ୍ଟ ରୂପେ ଉଜାଗର କରିଥିଲେ । ପ୍ରତ୍ୟେକ ଭାରତୀୟ ନିଜର ସନାତନ ସଂସ୍କୃତି ଓ ଜୀବନ ମୂଲ୍ୟ ଆଧାର ରେ ଜୀବନ ଯାପନ କରି ‘ସ୍ୱରାଜ୍ୟ’ ପାଇଁ ଆନ୍ଦୋଳନ କରିବା ଆବଶ୍ୟକ ବୋଲି ସେ ଉଲ୍ଳେଖ କରିଥିଲେ ।
ରାଷ୍ଟ୍ର କଣ? ରାଷ୍ଟ୍ରୀୟତା ଓ ରାଷ୍ଟ୍ରବାଦ କିପରି ପ୍ରତ୍ୟେକ ଭାରତୀୟ ଜନମାନସରେ ଉଦ୍ରେକ ହେବା ଆବଶ୍ୟକ? ସନାତନ ସଂସ୍କୃତି ଆଧାରରେ ସ୍ୱରାଜ୍ୟ ହାସଲ କିପରି କରାଯାଇପାରିବ? ଏ ସମସ୍ତ ପ୍ରଶ୍ନ ଗୁଡିକରେ ସାମାଜିକ –ସାଂସ୍କୃତିକ ଓ ଆଧ୍ୟାତ୍ôମକ ଉତର ତାଙ୍କ ର ଲେଖାରେ ଦେଖିବାକୁ ମିଳିଥିଲା । ଭାରତ ଏକ ବହୁ ପ୍ରାଚୀନ ରାଷ୍ଟ୍ର ଏହାର ଏକ ସ୍ୱତନ୍ତ୍ର ଅସ୍ମିତା ଅଛି । କେବଳ ରାଷ୍ଟ୍ରୀୟତା ଆଧାରରେ ଏହାକୁ ଅଖଣ୍ଡ ଓ ସ୍ୱାଧିନ ସ୍ୱରାଜ ରାଷ୍ଟ୍ରର ଜୀବନ ଶକ୍ତି କରିପାରିବା । ଏହାହିଁ ତାଙ୍କ ଲେଖାଗୁଡିକରେ ମୂଳମନ୍ତ୍ର ଥିଲା ।
ତାଙ୍କର ଲେଖାର ଭାଷା ଇଂରାଜୀ ଥିଲା । ବନ୍ଦେ ମାତରଂ ପତ୍ରିକା ଇଂରାଜୀଭାଷାରେ ପ୍ରକାଶ ପାଇଥିଲା । ସୁନ୍ଦର, ସରଳ, ସାବଲୀଳ ଇଂରାଜୀ ଭାଷାରେ ଇଂରେଜ ମାନଙ୍କୁ ଆକ୍ଷେପ କରିବା ସହିତ ତତ୍ କାଳୀନ ଇଂରାଜୀ ପଢ଼ୁଆ ଯୁବ ସମାଜ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଉଦ୍ରେକ କରିପାରିଥିଲେ । ସେତେବେଳେ ଇଂରେଜ ମାନଙ୍କ ପୃଷ୍ଠ ପୋଷାକତାରେ କେତେକ ଇଂରାଜୀ ଖବର କାଗଜ କୋଲକୋତାରୁ ପ୍ରକାଶ ପାଇଥିଲା । ଇଂରେଜ ମାନଙ୍କୁ ଖୋସାମଦ କରି କେତେକ ବୁଦ୍ଧିଜୀବୀ ପାଶ୍ଚାତ୍ୟ ସଭ୍ୟତାର ଗୁଣଗାନ କରୁଥିଲେ । ଶ୍ରୀ ଅରବିନ୍ଦ ସେମାନଙ୍କୁ କଟୁ ଭାଷାରେ ସମାଲୋଚନା କରି ଭାରତୀୟ ଜୀବନ ମୂଲ୍ୟ ଆଧାରରେ ସ୍ୱରାଜ୍ୟ ପ୍ରାପ୍ତି ସମ୍ବନ୍ଧରେ ଲେଖା ଲେଖୁଥିଲେ । ଏହାକୁ ପାଠ କରି ସେମାନେ କେବଳ ନୀରବତା ଅବଳମ୍ଭନ କରିଥିଲେ । ଶ୍ରୀ ଅରବିନ୍ଦଙ୍କୁ ଜବାବ ଦେବା ପାଇଁ ତାଙ୍କ ନିକଟରେ କୌଣସି ଭାଷା ନଥିଲା ।
ଶ୍ରୀ ଅରବିନ୍ଦ ସ୍ୱଦେଶୀ ଚିନ୍ତନ କୁ ତାଙ୍କର ଲେଖାର ଉପସ୍ଥାପନ କରିଛନ୍ତି । ଇଂରେଜମାନେ ଭାରତୀୟ ଶିଳ୍ପକୁ ଧ୍ୱଂସ କରି ବିଦେଶୀ ବସ୍ତୁ ବ୍ୟବହାର ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ତାହାକୁ ସେ ଘୋର ବିରୋଧ କରୁଥିଲେ । ୧୯୦୭ , ଜୁଲାଇ ୧୧ ତାରିଖ ରେ ବନ୍ଦେମାତରଂ ପତ୍ରକା ରେ ସ୍ୱଦେଶୀ ଚିନ୍ତନ ଓ ସ୍ୱଦେଶୀ ଶିକ୍ଷା ଉପରେ ଏକ ଗବେଷଣା ମୂଳକ ଲେଖା ପ୍ରକାଶ କରିଥିଲେ ।ରାଷ୍ଟ୍ରୀୟ ଶିକ୍ଷା ଆଧାରରେ ପ୍ରତ୍ୟେକ ଭାରତବାସୀ ସ୍ୱାଧିନ ହୋଇ ସ୍ୱଦେଶୀକୁ ନିଜ ଜୀବନର ମନ୍ତ୍ର ରୂପେ ସ୍ୱୀକାର କରିବା ଆବଶ୍ୟକ ।ସ୍ୱାଧିନତା ରାଷ୍ଟ୍ରୀୟ ଶିକ୍ଷା ଓ ସ୍ୱଦେଶୀ ତନ୍ତ୍ର ବିନା ଅସମ୍ଭବ ।ପ୍ରତ୍ୟେକ ଭାରତବାସୀ ସ୍ୱଦେଶୀ ଗ୍ରହଣ ଓ ବିଦେଶୀ ବର୍ଜନ କରିବା ଆବଶ୍ୟକ । ସ୍ଥାନୀୟ ବସ୍ତୁ ଗ୍ରହଣ କଲେ ସ୍ଥାନୀୟ ଶିଳ୍ପ କୁ ପ୍ରୋତ୍ସାହନ ମିଳିବ । ଏହିପରି ରାଷ୍ଟ୍ରର ଅର୍ଥନୀତି ସୁଦୃଢ଼ ହେବ । ଏଣୁ ସ୍ୱଦେଶୀ କୁ ନିଜ ଜୀବନରେ ଏକ ବ୍ରତ ରୂପେ ଅଙ୍ଗୀକାର କରିବା ପାଇଁ ସେ ଆହ୍ୱାନ କରିଥିଲେ । ଯାହା ଆଜି କେନ୍ଦ୍ର ସରକାର ‘ଭୋକଲ ଫର ଲୋକଲ’ ଶ୍ଳୋଗାନ ଦେଉଛନ୍ତି, ତାହାକୁ ସେ ଶହେ ବର୍ଷ ପୂର୍ବେ ପ୍ରତିପାଦନ କରିଥିଲେ ।
ସାର୍ବଜନୀନ ଜୀବନରୁ ସନ୍ନ୍ୟାସ ନେଲା ପରେ ସେ ସାଧନାରେ ମଗ୍ନ ଥାଇ ଦୁଇଟା ପତ୍ରିକା ସମ୍ଫାଦନ କରୁଥିଲେ । ୧୯୦୯, ଜୁନ୍ ୧୫ ତାରିଖରେ କର୍ମଯୋଗୀ ନାମକ ଇଂରାଜୀ ପତ୍ରିକା ଓ ସେହି ବର୍ଷ ଅଗଷ୍ଟ ୨୩ ତାରିଖରେ ଧର୍ମ ନାମରେ ବଙ୍ଗାଳୀ ଭାଷାରେ ପତ୍ରକା ଆରମ୍ଭ କରିଥିଲେ । ଏହି ସମସ୍ତ ପତ୍ରିକାରେ ତାଙ୍କର ଲେଖାର ମୂଳରେ ରାଷ୍ଟ୍ରୀୟତା ଥିଲା । ଭାରତୀୟ ମାନେ ରାଷ୍ଟ୍ରୀୟ ହୋଇ ସନାତନ ଜୀବନ ମୂଲ୍ୟ ଅଧାରରେ ସ୍ୱରାଜ୍ୟ ପ୍ରାପ୍ତି କରିପାରିବେ । ଏହାହିଁ ତାଙ୍କର ସମସ୍ତ ଲେଖାର ମର୍ମ ଥିଲା । ଚଳିତ ବର୍ଷ ତାଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ କରାଯାଇଛି । ଏହି ମହାନ ସାଧକ ତଥା ରାଷ୍ଟ୍ରଗ୍ରନ୍ଥଙ୍କୁ ଶ୍ରଦ୍ଧାଞ୍ଜଳି କରିବା ସମୟରେ ତାଙ୍କର ଲେଖାଗୁଡିକୁ ଅଧ୍ୟୟନ କରିବା ଆବଶ୍ୟକ ।
ଆଡଭୋକେଟ୍
ଖଟବିନ ସାହି, କଟକ
୯୪୩୭୦୧୬୩୮୪


