ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁରୀ କାଳୁଆ ନିକଟ ଖାଣ୍ଟିଗୁଡ଼ା ଗ୍ରାମର ଅଭି ମଲ୍ଲିକ(୫୨) ନାମକ ଜଣେ ଯୁବକ ଙ୍କୁ ଗତ ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଜିନିଗୁଡ଼ା ଗ୍ରାମ କୋଠଘର ନିକଟରେ ବନ୍ଧାଗୁଡ଼ା ଗ୍ରାମ ର ସୁରେଶ ମଲ୍ଲିକ ଏକ କାତି ରେ ମରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣାରେ ସମ୍ପୃକ୍ତ ସୁରେଶ ଙ୍କୁ ଗିରଫ କରାଯାଇ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଏସଡିଜେଏମ କୋର୍ଟ କୁ ଚାଲାଣ କରାଯାଇଥିବା ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।ଥାନା ମାମଲା ନଂ.୪୫୪/୨୬ ବିଏନଏସ ର ଦଫା – ୧୨୬(୨)/୧୧୫(୨)/୧୧୭(୨)/୧୧୮(୧)/୧୧୮(୨)/୧୦୯/୨୯୬/୩୫୧(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର କାତି ଜବତ କରାଯାଇଛି। ଅଭି ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଜିନିଗୁଡ଼ା ଗ୍ରାମର ୱାର୍ଡ ସଭ୍ୟ ନରହରି ମଲ୍ଲିକ ଙ୍କ ଘରୁ କଥା ହୋଇ ଗାଁ କୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନା ପ୍ରକାରେ ଅଭିଯୁକ୍ତ ସୁରେଶ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କାତିରେ ହାଣି ଲହୁ ଲୁହାଣ କରି ପକାଇଥିଲେ। ଘଟଣାସ୍ଥଳରେ ସେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯିବାରୁ ମରିଗଲା ଭାବି ସୁରେଶ ସେଠାରୁ ପଳାଇଥିଲେ। ଅଭି ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି। ଏନେଇ ୱାର୍ଡ ସଭ୍ୟ ନରହରି ସୋମବାର ଅପରାହ୍ନରେ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ ।