ନିଟ୍ରେ ପାରଳା ଛାତ୍ରୀଙ୍କ ସଫଳତାକୁ ନେଇ ବିଧାୟକଙ୍କ ପ୍ରଶଂସା ଓ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ନେସନାଲ ଏଲିଜିବୁଲିଟି ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ରେ ପାରଳାଖେମୁଣ୍ଡି ଛାତ୍ରୀ ଓନା ଶ୍ରୀଲେଖା ୭୨୦ ମାର୍କରୁ ୬୭୬ ମାର୍କ ରଖି ଉଲେଖନୀୟ ସଫଳତା ହାସଲ କରିଥିବାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଛାତ୍ରୀ ଜଣଙ୍କୁ ବହୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶ୍ରୀଲେଖା ଅଲଇଣ୍ଡିଆ ଓପେନ କେଟଗରିରେ ସେ ୧୧୧୧ର୍ୟାଙ୍କ ରଖି ଗଜପତି ଜିଲ୍ଲା ଓ ପାରଳାଖେମୁଣ୍ଡି ସହର ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି । ସେ ପାରଳା ସହର କାମ୍ପସାହି ନିବାସୀ ବ୍ୟବସାୟୀ ଓନା ମହେଶ ଓ ଲକ୍ଷ୍ମୀଙ୍କ ସୁପୁତ୍ରୀ ଅଟନ୍ତି । ଓନା ଶ୍ରୀଲେଖାଙ୍କ ଏହି ସଫଳତା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଇବାର ସହ ପ୍ରଶଂସାର ସୁଅ ଛୁଟିଛି । ବିଧାୟକ ଓନା ଶ୍ରୀଲେଖାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟାକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସୀମାଦ୍ରୀ, ବରିଷ୍ଠ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ, ଭି.ଚିଟିବାବୁ ପ୍ରମୁଖଙ୍କ ସମେତ ଛାତ୍ରୀ ଶ୍ରୀଲେଖାଙ୍କ ପରିବାରବର୍ଗ ଉପସ୍ଥିତଥିଲେ ।