ସିଭିଲ ସୋସାଇଟିର ମିଳିତ ଗଣଧାରଣା ୧୮ରେ
ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶାର ପ୍ରଥମ ତଥା ବାଲେଶ୍ୱରର ଜୀବନରେଖା କୁହାଯାଉଥିବା ଉଡ଼ନ୍ତାପୋଲର ନିମ୍ନମାନର ମରାମତି କାର୍ଯ୍ୟକୁ ନେଇ ‘ସିଭିଲ ସୋସାଇଟି’ ଆନ୍ଦୋଳନ ପାଇଁ ନେଇଛି ନିଷ୍ପତ୍ତି । ଏହି ପରିପ୍ରେକ୍ଷୀରେ ସହରର ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସଭାଗୃହରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସାମାଜିକ ସଙ୍ଗଠନ ଓ ଗଣସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ବାଲେଶ୍ୱର ସହରର ବିଶିଷ୍ଟ ବ୍ୟକ୍ତମାନେ ଏଥିରେ ଯୋଗଦେଇ ଦୀର୍ଘଦିନର ପୁରୁଣା ଉଡ଼ନ୍ତା ପୋଲ ମରାମତି ନାମରେ ଚାଲିଥିବା ନିମ୍ନମାନର କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଜିଲାବାସୀଙ୍କ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ପ୍ରାୟ ନଅ କୋଟି ଟଙ୍କା ଅଟକଳରେ ମରାମତି କାର୍ଯ୍ୟ ପ୍ରକଳ୍ପ ଅନୁମୋଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ ହୋଇଥିବା ୫ କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ପରେ ବାକି ଅର୍ଥ ଦ୍ୱିତୀୟ ପର୍ଯ୍ୟାୟରେ ଆସିବ ବୋଲି ବୈଠକରେ ଉପସ୍ଥିତ ସଦସ୍ୟମାନେ କହିଥିଲେ । ତେବେ ଜିଲାବାସୀଙ୍କ ପାଇଁ ଜୀବନରେଖା ପାଲଟିଥିବା ଏହି ପୋଲରେ ଅତ୍ୟନ୍ତ ନିମ୍ନମାନର ମରାମତି କାର୍ଯ୍ୟ କରାଯିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା । ମରାମତି ନାମରେ ଅର୍ଥ ତୋଷରପାତ ପାଇଁ ନୂର୍ତ୍ତ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଏଭି ନୀତି ଗ୍ରହଣ କରାଯାଇଥିବା କେତେକ ସଦସ୍ୟ ମତ ଦେଇଥିଲେ । ଏନେଇ ନିକଟ ଅତୀତରେ ସିଭିଲ ସୋସାଇଟି ପକ୍ଷରୁ ଜିଲାପାଳଙ୍କୁ ଏହି ଘଟଣାରେ ଲିଖିତ ଅଭିଯୋଗ କରାଯାଇଥିଲା । ମାତ୍ର ଏହି ଅଭିଯୋଗ ପ୍ରତି ଆଖି ବୁଜିଦେବା ଅତ୍ୟନ୍ତ ଦୁର୍ବାଭ୍ୟର ବିଷୟ ବୋଲି ସଦସ୍ୟମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ଏମିତିକି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଜିଲା ପ୍ରଶାସନ ଭ୍ରୁକ୍ଷେପ କରୁନଥିବା ସୋସାଇଟିର ସମ୍ପାଦକ ଆଇନଜୀବୀ ମନୋଜ ନାୟକ ଆରୋପ ଉଠାଇଥିଲେ । ସିଭିଲ ସୋସାଇଟି ପକ୍ଷରୁ ମକଦମା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କରୁଣାକର ରଥ ଏହି ବୈଠକରେ ଯୋଗଦେଇ ଜନଗଣଙ୍କ ବୃହତ ସ୍ୱାର୍ଥରକ୍ଷାରେ ହୋଇଥିବା ମାମଲା ଓ ଅଦାଲତଙ୍କ ଆଦେଶନାମା ଉପରେ ତର୍ଜମା କରିଥିଲେ । ପ୍ରଶାସନର ଅପାରଗତା ଓ ଖାମଖିଆଲି କାର୍ଯ୍ୟଧାରା ବରୋଧରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଏହି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି କ୍ରମରେ ଆସନ୍ତା ୧୮ ତାରିଖ ସକାଳ ୯ଟାରୁ ଫକୀର ମୋହନ ଗୋଲେଇଠାରେ ବାଲେଶ୍ୱରର ବିଭିନ୍ନ ସାମାଜିକ ଗଣ ସଙ୍ଗଠନମାନେ ମିଳିତ ଭାବେ ଗଣଧାରଣା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ଜନସାଧାରଣ ଓ ବିଭିନ୍ନ ଗଣ ସଂଗଠନମାନେ ଏହି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନରେ ଯୋଗଦେବାକୁ ସିଭିଲ ସୋସାଇଟିର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା ଓ ଗୌରାଙ୍ଗ ପାଣିଗ୍ରାହୀ ବୈଠକରେ ନିବେଦନ କରିଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ରଘୁନାଥ ଲେଙ୍କା, ଶ୍ରଦ୍ଧାଞ୍ଜଳି ରାୟ, ପ୍ରଦୀପ କୁମାର ଚାଟାର୍ଜୀ, ଅନସୂୟା ନାୟକ, ବାସନ୍ତି ସାମଲ, ଶତ୍ରୁଘ୍ନ ମଲିକ, ପ୍ରଜ୍ଞାପାରମିତା ମହାନ୍ତି, ବାସନ୍ତି ନାୟକ, ସୀତାରାମ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ମହମ୍ମଦ ଇସଲାମ, ଭଗବାନ ମହନୀ, ବେଣୁଧର ରାଉଳ, ପରମେଶ୍ୱର ପାତ୍ର, ଅଜିତ କୁମାର ବରାଳ, ଶରତ ଚନ୍ଦ୍ର ଦଳେଇ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ ସହ ନିଜ ନିଜର ମତାମତ ଦେଇଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।