ବାଲେଶ୍ୱରରେ ବିଶାଳ ଆଇନସେବା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଜିଲା ଆଇନସେବା ପ୍ରାଧିକରଣ ଓ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ସହଯୋଗରେ ଏକ ବିଶାଳ ଆଇନସେବା ଶିବିର ସହରର ବ୍ରିଟ କଲ୍ୟାଣମଣ୍ଡପ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଏବଂ ଦୌରା ଜଜ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଭଗବାନ ପ୍ରଧାନ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ । ନ୍ୟାୟ ପ୍ରଦାନଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବାରେ ଏହି ଶିବିର ବେଶ ସହାୟକ ହୋଇ ପାରିଛି ବୋଲି ସେ କହିଥିଲେ । ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ଓକିଲ ସଂଘ ସଭାପତି ମନୋଜ କୁମାର ନାୟକ ପ୍ରମୁଖ ଏଥିରେ ଯୋଗଦେଇ ଆଇନସେବା ପ୍ରଧିକରଣର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ଦ୍ୱାରା ସାଧାରଣ ଲୋକେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତି ହେବା ସହିତ ଏହାର ସୁଫଳ ପାଇଁ ସୁଯୋଗ ପାଇପାରିବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲା କୋର୍ଟର ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନର ପ୍ରଶାସନିକ ଏବଂ ବିଭାଗୀୟ ଅଧିକାରୀମାନେ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲା ଶିଶୁ ସୁରକ୍ଷା ୟୁନିଟ, ଜିଲା ମଙ୍ଗଳ ଅଧିକାରୀ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶସ୍ତୀକରଣ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ପରିବହନ ବିଭାଗ, ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ, ରାଜସ୍ୱ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏଥିରେ ଏକାଧିକ ଷ୍ଟଲ ଖୋଲାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ ସହ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ରୋଟାରୀ କ୍ଲବର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆଇଜୀବୀ ସାଇରୁଲ ହକ, ପ୍ୟାନେଲ ଲୟର ଏବଂ ପାରାଲିଗାଲ ସ୍ୱେଛାସେବୀମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଆଇନସେବା ଶିବିରକୁ ଜିଲା ଆଇନସେବା ପ୍ରାଧିକରଣ ସଚିବ ବିଷ୍ଣୁଦେବ ଜେନା ପରିଚାଳନା କରିଥିବା ବେଳେ ରିଟେନର ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ