ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଛତ୍ରପୁର ବିଧାୟକଙ୍କ ସମୀକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଛତ୍ରପୁର ଓ ଗଞ୍ଜାମ ବ୍ଲକର ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମୀକ୍ଷା କରିଛନ୍ତି । ଜଲଜୀବନ ମିସନ୍ ମାଧ୍ୟମରେ ଗଂଜାମ ଓ ଛତ୍ରପୁର ବ୍ଲକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ । ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତରେ ପ୍ରତି ପଞ୍ଚାୟତରେ ଓଭରହଡ୍ ଟାଙ୍କି ନିର୍ମାଣ ଲାଗି ତହସିଲଦାରଙ୍କୁ ଜାଗା ଚିହ୍ନଟ କରିବା ପାଇଁ କୁହାଯାଇଥିଲା । ଏହାସହ ହଂସପୁର ଗ୍ରାମଠାରେ ଇଣ୍ଟାକ୍ୱାଲ୍ ନିର୍ମାଣ କରିବା ଲାଗି ମଧ୍ୟ ଜାଗା ଚିହ୍ନଟ ବିଷୟରେ ତହସିଲଦାରଙ୍କୁ ବିଧାୟକ ଅବଗତ କରାଇଥିଲେ । ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଲକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ୫୫ଟି ଗାଁ ରହିଥିବା ବେଳେ ଆଉ ୧୯ଟି ଗାଁକୁ ସାମିଲ କରାଯିବ । ଜାନୁୟାରୀ ୧୫ ସୁଦ୍ଧା ପ୍ରକଳ୍ପର ପ୍ରାୟ ୯୦ ପ୍ରତିଶତ କାମ ଶେଷ ହେବ ବୋଲି ନିର୍ମାଣକାରୀ ସଂସ୍ଥାର ପ୍ରକଳ୍ପ ମ୍ୟାନଜର ସୂଚନା ଦେଇଥିଲେ । ସେହିପରି ନିକଟରେ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ୧୪ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଶୁଭ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ଗୁଡିକର ନିର୍ମାଣ ଦିଗରେ ଏବେ ସୁଦ୍ଧା କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଛତ୍ରପୁର ଓ ଗଞ୍ଜାମ ବ୍ଲକବାସୀଙ୍କ ନିମନ୍ତେ ଶୀଘ୍ର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଗି ଅଧିକାରୀମାନେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଜଳ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଙ୍କ ସମେତ ଦୁଇଟି ବ୍ଲକର ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


