୪ ବିଚାରପତିଙ୍କୁ ପଞ୍ଚତାରକା ହୋଟେଲରେ ରାତ୍ର ଭୋଜନ ଦେଲେ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ: ଐତିହାସିକ ଅଯୋଧ୍ୟା ରାୟର ଶୁଣାଣି ପରେ ଖୁସି ମନାଇବା ପାଇଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ଅଯୋଧ୍ୟା ରାୟ ପାଇଁ ଗଠିତ ଖଣ୍ଡପୀଠରେ ତାଙ୍କ ସହ ଥିବା ଆଉ ୪ ଜଣ ବିଚାରପତିଙ୍କୁ ରାତ୍ରଭୋଜନରେ ଆପ୍ୟାୟିତ କରିଛନ୍ତି । ପରବର୍ତ୍ତୀ ମୁଖ୍ୟ ବିଚାରପତି ଏସ୍ ଏ ବୋବଡ଼େ, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଏସ୍ଏ ନଜିର୍ ଏହି ଖଣ୍ଡପୀଠରେ ଗୋଗଇଙ୍କ ସହଯୋଗୀ ଥିଲେ । ଶନିବାର ରାଜଧାନୀ ଦିଲ୍ଲୀର ତାଜ୍ ମାନସିଂ ହୋଟେଲରେ ଗୋଗୋଇ ତାଙ୍କ ସହ ଖଣ୍ଡପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ରାତ୍ର ଭୋଜନ ଦେଇଥିବା ସୂଚନା ରହିଛି ।ଚଳିତବର୍ଷ ଅଗଷ୍ଟ ୬ ତାରିଖରେ ଅଯୋଧ୍ୟା ବିବାଦକୁ ନେଇ ଶୁଣାଣି ଆରମ୍ଭ ହେବା ପରଠାରୁ କାମ ଚାପରେ ରହିଥିବା ଏହି ୫ ବିଚାରପତିଙ୍କୁ ସାମାନ୍ୟ ବିରତି ଦେବା ଉଦ୍ଦେଶ୍ୟରେ ଗୋଗୋଇ ଏପରି ଏକ ଯୋଜନା କରିଛନ୍ତି । ଦୀର୍ଘ ୪୦ ଦିନ ଧରି ଅଦାଲତରେ ଅଯୋଧ୍ୟା ବିବାଦର ଶୁଣାଣି ହେବା ପରେ ଶେଷରେ ଅକ୍ଟୋବର ୧୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଅଦାଲତ । ଆଜି ସେହି ଐତିହାସିକ ରାୟ ଘୋଷଣା ହୋଇ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣକୁ ସବୁଜ ସଂକେତ ମିଳିବା ପରେ ଦେଶବାସୀଙ୍କ ପାଇଁ ଚିର ସ୍ମରଣୀୟ ପାଲଟିଛି ନଭେମ୍ବର ୯ ତାରିଖ ।


