୫ ବର୍ଷ ପୂର୍ତ୍ତି ଅବସରରେ : ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ରାଜ୍ୟରେ ଭୋକେସନାଲ ଶିକ୍ଷା ବିଗତ ୨୦୧୬ରୁ ଆରମ୍ଭ ହୋଇ ଆଜି ୫ ବର୍ଷ ପୂର୍ଣ୍ଣ ହୋଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ବିଭାଗରେ ନିଯୁକ୍ତି ପାଇଥିବା ଭୋକେସନାଲ ଟ୍ରେନର୍ସ ଆଜି ମଧ୍ୟ ସେହି ଦରମାରେ କାମ କରୁଛନ୍ତି । ନିୟମିତ ଦରମା ଓ ଦରମା ବୃଦ୍ଧି ନେଇ ଧନ୍ଦାମୂଳକ ପ୍ରଶିକ୍ଷକ ତରଫରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ଏକ ବିଶାଳ ସମାବେଶ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶ୍ରୀ ସୁନିଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶେଖ୍ ବେଲାଲୁଦ୍ଦିନ ଅହମ୍ମଦ, ରାଜକିଶୋର ଦାସ, ପ୍ରଶାନ୍ତ ମହାନ୍ତି, ସସ୍ମିତା ବାରିକ ପ୍ରମୁଖ ଯୋଗଦେଇ ଧନ୍ଦାମୂଳକ ଶିକ୍ଷକମାନଙ୍କର ଦରମା ବୃଦ୍ଧି ହେଉନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ସଂଘ ତରଫରୁ କୁହାଯାଇଛି ଯେ, ନିକଟରେ ରାଜ୍ୟ ସରକାର ବିଭିନ୍ନ ଠିକା ଓ ଆଉଟ ସୋର୍ସିଂରେ କାମ କରୁଥିବା କର୍ମଚାୀମାନଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ ଧନ୍ଦାମୂଳକ ଶିକ୍ଷକମାନେ ଏଥିରୁ ବାଦ୍ ପଡ଼ିଛନ୍ତି । ତେଣୁ ତୁରନ୍ତ ଦରମା ବୃଦ୍ଧି ସହିତ ଠିକ୍ ସମୟରେ ଦରମା ପ୍ରଦାନ କରିବା, ଆଇସେଟ୍ ଓ ଆମାସ, ଓରିଅନ ଓ ଲେବରନେଟ ଚାରି କମ୍ପାନୀ ୫ ମାସର ଦରମା ଏପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷକଙ୍କୁ ସେମାନଙ୍କୁ ଦରମା ପ୍ରଦାନ କରିନାହାଁନ୍ତି । ତେଣୁ ତୁରନ୍ତ ରାଜ୍ୟ ସରକାର ଏହି ଦୁଇ କମ୍ପାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଧନ୍ଦାମୂଳକ ଶିକ୍ଷକ ଚାକିରୀ ପ୍ରଦାନ କରିଥିବା ଆଉଟିସୋର୍ସିଂ କମ୍ପାନୀକୁ ରାଜ୍ୟ ସରକାର ତୁରନ୍ତ ଅନୁମୋଦନ ପ୍ରଦାନ କରନ୍ତୁ । ଦୀର୍ଘ ପାଞ୍ଚବର୍ଷ ଚାକିରୀ କରିଥିଲେ ମଧ୍ୟ ଆଜିର ମହଙ୍ଗା ଯୁଗରେ ସେମାନଙ୍କୁ ୧୫୦୫୦ ଟଙ୍କା ଦରମା ପ୍ରଦାନ କରାଯାଉଛି । ତେଣୁ ୨୫୦୦୦ ଟଙ୍କା ଦରମା ବୃଦ୍ଧି କରାଯାଉ । ଧନ୍ଦାମଳକ ଶିକ୍ଷକମାନଙ୍କର ଚାକିରୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ସ୍ଥାୟୀ ଯୋଜନା ପ୍ରଣୟନ କରନ୍ତୁ ଆଦି ଦାବି ନେଇ ଧନ୍ଦାମୂଳକ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଯଦି ଖୁବ୍ କମ୍ ଦିନ ମଧ୍ୟରେ ସଂଘର ଦାବୀଗୁଡ଼ିକ ରାଜ୍ୟ ସରକାର ପୂରଣ ନକରନ୍ତି, ତେବେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ