୮ କୋଟିର ଲେଜର ସୋ’ ଦୃଷ୍ଟି ଆଢୁଆଳରେ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ସନ୍ଧ୍ୟା ହେଲେ ବଦଳୁଛି ରୂପ । ସଙ୍ଗୀତର ତାଳେ ତାଳେ ନାଚୁଛି ପାଣି ଓ ଆଲୁଅ । ରଙ୍ଗୀନ ଆଲୁଅ ଓ ସଙ୍ଗୀତର ମାୟାଜାଲରେ ଐତିହ୍ୟ ପୁଷ୍କରିଣୀ ବିନ୍ଦୁ ସାଗର ଝଲ୍ସିି ଉଠୁଥିବା ବେଳେ ଏହାର ଆନନ୍ଦ ନେବା ପାଇଁ କିନ୍ତୁ ଦର୍ଶକ ନାହାଁନ୍ତି । ସୂଚନା ପ୍ରଯୁକ୍ତିର ଯୁଗରେ ରାଜଧାନୀର ଏଭଳି ଏକ ମ୍ୟୁଜିକାଲ୍ ଫାଉଣ୍ଟେନ୍ ଅଣଦେଖା ହୋଇ ରହିଯିବା ସର୍ବସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ କୋଟି ବ୍ୟୟରେ ନିର୍ମିତ ଏହି ଲେଜର ସୋ’ ନଭେମ୍ବର ୧୮, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଐତିହ୍ୟ ପୁଷ୍କରିଣୀର ନିଳାଭ ଜଳରେ ବିଜୁଳି ତାର ବିଛା ଯାଇ ନିର୍ମିତ ମ୍ୟୁଜିକାଲ୍ ଫାଉଣ୍ଟେନ୍ରେ ଶିବ ତାଣ୍ଡବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ଦର୍ଶକ ତଲ୍ଳୀନ ହୋଇଯାଇଥିଲେ । ଶୀତଋତୁ ବିଦାୟ ନେବା ପରେ ଏହି ଲେଜର ସୋ ପ୍ରଦର୍ଶନର ସମୟ ବଦଳିଗଲା । କିନ୍ତୁ ଦୁଃଖର କଥା ବଦଳିଥିବା ସମୟର ପ୍ର·ର ପ୍ରସାର କୌଣସି ସୂଚନା ଫଳକରେ ଦର୍ଶାଗଲା ନାହିଁ । ଦର୍ଶକମାନେ ପୂର୍ବ ସମୟରେ ଆସି ନିରାଶରେ ଫେରି ଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦାମାନେ ବି ପ୍ରକୃତ ସମୟ ବତାଇ ପାରିନଥିଲେ । ଲେଜର ସୋ’କୁ ନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଥିବା ଆଗ୍ରହକୁ ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ୮ କୋଟି ଟଙ୍କାର ଏହି ପ୍ରକଳ୍ପ ତାର ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିବା ନେଇ ଅସନ୍ତୋଷ ବଢୁଛି । ଲେଜର ସୋ’ର ସମୟ ସୂଚିତ ଥାଇ ଫଳକମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଲଗାଇବା ପାଇଁ ସାମାଜିକ କର୍ମୀ ସୁଶାନ୍ତ ସାହୁ ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ