ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି

ମୋହନା, (ଅଂଶୁମାନ ପଣ୍ଡା) : ସ୍ଥାନୀୟ ବ୍ଳକର ୩୯ଟି ପଞ୍ଚାୟତରେ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ଗମାଞ୍ଚଳର ଲୋକେ ଜାଡ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମ୍ମଖୀନ ହେଉଛନ୍ତି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ତା ସାଙ୍ଗକୁ ସକାଳ ୯ଟା ଯାଏଁ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି । ରବିବାର ମୋହନାର ତାପମାତ୍ରା ୧୨ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଆଗକୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି । ଘନ କୁହୁଡିର ଚାଦର ତଳେ ସାରା ମୋହନା ବ୍ଲକ ଆଚ୍ଛାଦିତ ହୋଇ ରହୁଛି । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି । ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି। ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଉପାନ୍ତ ଅଞ୍ଚଳର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ରହୁଥିବା ଲୋକେ ଜାଡ ସହିନପାରି କେବଳ କାଠ ନିଆଁକୁ ଭରସା କରି ତାରି ପାଖରେ ବସି ରହୁଛନ୍ତି । ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ କିଣି ପାରୁନାହାନ୍ତି କମ୍ବଳ ଓ ଶୀତବସ୍ତ୍ର । ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ । ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ଚାହିଦା ବଢିବାରେ ଲାଗିଛି । ଫଳରେ ଅଡବା, ଚନ୍ଦ୍ରଗିରି, ଲୁହାଗୁଡି, ମୋହନା, ଚାନ୍ଦିପୁଟ ,ଅନ୍ତରବା, ଚୁଡଙ୍ଗପୁର, ବିରିକୋଟ, ପାଣିଗଣ୍ଡା ଆଦି ଗ୍ରାମ ଗୁଡିକରେ ଦୋକାନୀମାନେ ଶୀତବସ୍ତ୍ରର ପସରା ଖୋଲିଥିବା ଦେଖାଯାଉଛି । ଲୋକେ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ବ୍ଳକର ଦୁର୍ଗମ ଅଞ୍ଚଳ ଗରଡମା, ଶିମିଳି , ମୋହନାଗୁଡା , ରାଇପଙ୍କା, ମାନ୍ଦ୍ରାବାଜୁ, ମଳାସ ପଦର, କଟାମା, ଡେଙ୍ଗେସଖାଲ, ଗୁଲୁବା, ମାଣ୍ଡି ମେରା, ରାଜଖମା,ଢ଼େପାଗୁଡା, ବାଲିଗଣ୍ଡା , ଚୁଡଙ୍ଗପୁର, ଅନ୍ତରବା, ଶିଆଳିଲଟି, ବାମ ଦେଇ ପଦା, ପଣସଢିଅ, ଖାରିଗୁଡା ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରୀ ଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ତେବେ ଏବେ ପର୍ଯ୍ୟଟନ ରୂତୁ ହୋଇଥିବାରୁ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି, ଗଣ୍ଡାହାତୀ, ଗୁଦୁଗୁ ଦା, ଖସଡା, ମାଙ୍କଡଡିଆଁ, ଜିରାଙ୍ଗ ବୌଦ୍ଧ ମନ୍ଦିର, ହରଭଙ୍ଗି ଜ୍ୟାମ, ବ୍ରାହ୍ମଣୀଦେବୀ ଜଳ ପ୍ରପାତ ଆଦି ମନୋରମ ପ୍ରାକୁତିକ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ଆସ୍ତେ ଆସ୍ତେ ଭିଡ଼ ଜମିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ