ବଡ଼ଦିନରେ ଉତ୍ସବ ମୁଖର ସହର ବାଲେଶ୍ୱର : ଝଲସୁୁଛି ବିଭିନ୍ନ ଚର୍ଚ୍ଚ
ବାଲେଶ୍ୱର, (ସରୋଜ ପଣ୍ଡା) :ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ତଥା ବଡ଼ଦିନ ଅବସରରେ ସହର ସମେତ ବାଲେଶ୍ୱର ଜିଲା ଉତ୍ସବ ମୁଖର ହୋଇଉଠିଛି । ପ୍ରତିବର୍ଷ ଭଳି ୨୪ ତାରିଖର ମଧ୍ୟ ରାତ୍ରିରୁ ଜିଲାର ବିଭିନ୍ନ ଚର୍ଚ୍ଚମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ଶ୍ରଦ୍ଧାର ସହ ପାଳନ କରାଯାଉଛି । ତେବେ ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ଚର୍ଚ୍ଚରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ଉତ୍ସବ ପାଳନ ହେଉଥିବା ପରିଲକ୍ଷିତ ହୋଇଛି । ଖ୍ରୀଷ୍ଟ ଧର୍ମାବଲର୍ମ୍ବୀ ମହିଳା, ପୁରୁଷ, ଯୁବକ ଓ ଯୁବତୀମାନେ ଚର୍ଚ୍ଚରେ ଆୟୋଜିତ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦେଇ ବାଇବେଲ ପାଠ ସାଙ୍ଗକୁ କ୍ୟାଣ୍ଡେଲ ଜାଳି ପ୍ରଭୁଯୁଶୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପରସ୍ପରକୁ କେକ ଖୁଆଇ ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଶନିବାର ସକାଳଠାରୁ ବାଲେଶ୍ୱର ସହରର ଦୁଇଗୋଟି ପ୍ରମୁଖ ଗୀର୍ଜା ଯଥା ବିବେକାନନ୍ଦ ମାର୍ଗସ୍ଥିତ କ୍ୟାଥୋଲିକ ଚର୍ଚ୍ଚ ଓ କଚେରି ରୋଡ଼ର ବାପିଷ୍ଟ ଚର୍ଚ୍ଚରେ ସାଧାରଣ ଲୋକେ ଯାଇ ମହମବତୀ ଜଳିବା ସହ ସାମୂହିକ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ କ୍ୟାଥଲିକ ଚର୍ଚ୍ଚ ପରିସରରେ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ ସମ୍ବଳିତ ବହୁ ପ୍ରତିକୃତି ସ୍ଥାନୀତ ହୋଇଥିବା ଦେଖିବାକୁ ମିଳିଛି । ସଂଧ୍ୟାରେ ଚର୍ଚ୍ଚରେ ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ଆୟୋଜିତ ଖ୍ରୀଷ୍ଟମାସ ଟ୍ରି ଓ ସାନ୍ତାକ୍ଲୁଜ ଡ୍ରେସ ପରିଧାନ ପ୍ରଭୃତିରେ ବେଶ ମନମୁଗ୍ଧକର ପରିବେଶ ଲକ୍ଷ୍ୟ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଆୟୋଜିତ ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ତେବେ ଦୟା, କ୍ଷମା ଓ କରୁଣାର ଅବତାର ପ୍ରଭୁ ଯୀଶୁଙ୍କ ଜନ୍ମଦିନ ‘ଖ୍ରୀଷ୍ଟମାସ’ ପାଳନ ସଂପ୍ରତି କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ । ସଂଧ୍ୟାରେ ବାଲେଶ୍ୱର ସହରର ସବୁବର୍ଗର ଲୋକେ ଚର୍ଚ୍ଚ ପରିସରକୁ ଯାଇ ବଡ଼ଦିନର ସୁନ୍ଦର ପରିବେଶକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ସେହିଭଳି ବଡ଼ଦିନ ଅବସରରେ ଚାନ୍ଦିପୁର, ପଞ୍ଚୁଲିଙ୍ଗେଶ୍ୱର, ଡଗରା ସମେତ ଜିଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଲୋକେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା ।


