ଉତ୍ସାହ ଉଦ୍ଦୀପନାରେ ବଡଦିନ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଚର୍ଚ୍ଚ ସମେତ ସମଗ୍ର ଜିଲ୍ଲାର ଚର୍ଚ୍ଚ ଗୁଡିକରେ ବଡଦିନ ବା ଖ୍ରୀଷ୍ଟମାସ ପର୍ବ ମହାସମାହୋରରେ ତଥା ହର୍ଷ ଉଲ୍ଲାସର ସହ ପାଳନ ହୋଇଛି । ଏହି ଅବସରରେ ପାରଳା ସହରର ମେଡିକାଲ ରୋଡ୍‌ରେ ଥିବା କ୍ୟାଥୋଲିକ ଚର୍ଚ୍ଚ, ହାଇସ୍କୁଲ ଛକଠାରେ ଥିବା ବାପଟିଷ୍ଟ ଚର୍ଚ୍ଚ ଇତ୍ୟାଦି ବିଭିନ୍ନ ଚର୍ଚ୍ଚଗୁଡିକରେ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଥିଲା । ଦିନତମାମ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପରିବାର ଗୁଡିକ ବିଭିନ୍ନ ଚର୍ଚ୍ଚ ଗୁଡିକରେ ପ୍ରାର୍ଥନା ସଭାମାନଙ୍କରେ ଯୋଗଦେଇ ପ୍ରଭୁ ଯିଶୁଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଅନେକ ସ୍ଥାନରେ ଏଥିପାଇଁ ଭୋଜିଭାତର ଆସର ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଗତକାଲି ରାତି ୧୨ଘଣ୍ଟା ସମୟରୁହିଁ ବଡଦିନ ଆରମ୍ଭ ହୋଇଥିବାରୁ ଚର୍ଚ୍ଚଗୁଡିକୁ ଗତକାଲି ଠାରୁ ଆଲୋକମାଳାରେ ସଜ୍ଜିତ କରାଯାଇ ପ୍ରାର୍ଥନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବଡଦିନ ପାଇଁ ପ୍ରସିଦ୍ଧ ରୋଜ୍ କେକ୍ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ବାଣ୍ଟୁଥିବା ଦେଖିବାକୁ ମିଳିଛି । ବଡଦିନ ପର୍ବଟିକୁ ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବାସକରୁଥିଲେ ମଧ୍ୟ ଏକତା ସୂତ୍ରରେ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହା ଆନ୍ଧ୍ର ସିମାନ୍ତ ଅଞ୍ଚଳ ହୋଇଥିବାରୁ ଏବଂ ଏକ ଦ୍ୱିଭାଷୀ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ବଡଦିନ ପର୍ବଟିକୁ ଭାଇଚାରା ଭାବେ ପାଳନ କରାଯାଇଛି । ସେହିପରି ଜିଲ୍ଲାର ଗୁମ୍ମା ବ୍ଲକ, ନୂଆଗଡ ବ୍ଲକ, ରାୟଗଡ ବ୍ଲକ, ମୋହନା, ଆର. ଉଦୟଗିରି ବ୍ଲକ ଇତ୍ୟାଦି ଖ୍ରୀଷ୍ଟିୟାନ ବହୁଳ ଅଞ୍ଚଳରେ ଏହି ବଡଦିନ ପର୍ବଟିକୁ ପାଳନ କରାଯାଇଛି । ପାରଳାଖେମୁଣ୍ଡି ସହର ବଡଦିନ ପାଇଁ ଖୁବ୍ ଚଳଚଞ୍ଚଳ ରହିଥିବାବେଳେ ଏଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଏହି ସବୁ କାର୍ଯ୍ୟକ୍ରମ କୋଭିଡ୍‌-୧୯ ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନାମା ପ୍ରକାରେ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର ବ୍ୟବସ୍ଥା ଆଦି ମଧ୍ୟରେ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା । ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ସେଣ୍ଟ ମେରି କ୍ୟାଥୋଲିକ୍ ଚର୍ଚ୍ଚରେ ଉତ୍ସାହ ଉଦ୍ଦୀପନା ସହ ଖ୍ରୀଷ୍ଟମାସ ଉତ୍ସବ ପାଳନ ଆରମ୍ଭ ହୋଇଛି । ଫାଦର୍ ଅଶୋକ କୁମାର ନାୟକଙ୍କ ଅଧ୍ୟ କ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଉଭୟ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ଧର୍ମାବଲମ୍ବୀମାନେ ଯୋଗଦେଇଥିଲେ । ତେଲୁଗୁ ଭାଷାରେ ସୁସମାଚାରର ବାର୍ତ୍ତା ଶୁଣାଇଥିଲେ ବିଶାଖାପାଟଣାରୁ ଆସିଥିବା ଫାଦର ବାଲାରାଜୁ । ବିଜେଡି ଟାଉନ୍ ସବାପତି ରଘୁରାମ ସାହୁ, ଯୁବ ସଭାପତି ରାଜେଶ ମିସାଲ, ବ୍ଲକ ସଭାପତି ଆର୍‌.ରାମ ପ୍ରସାଦ (ଜ୍ୟୋତି) ଜିଲ୍ଲା ଉପସଭାପତି କେ.ଆପ୍ପାରାଓ (ମଧୁ), ବରିଷ୍ଠ ନେତା ଜି.ତିରୁପତି ରାଓ, ବରିଷ୍ଠ ନାଗରିକ କେ.ରାମାରାଓ ଓ ଗଣମାଧ୍ୟମର ପ୍ରତିନିଧିହ୍‌କ ଉପସ୍ଥିତିରେ କେକ୍ କଟାଯାଇଥିଲା । ଏସ୍‌. କୋଟେଶ୍ୱର ରାଓ ବକ୍ତବ୍ୟ ରଖି ଯୀଶୁଙ୍କ ବଳିଦାନ ସାରା ପୃଥିବୀବାସୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବୋଲି କହିଥିଲେ । ଅଲଡା ଠାରେ ବି ଖ୍ରୀଷ୍ଟମାସ ଉପଲକ୍ଷେ ସମାବେଶ ଆୟୋଜିତ ହୋଇଥିଲା । ଫାଦର ଫ୍ରାନ୍‌ସିସ୍‌, ଯୋସେଫ୍ ପାଲାୟୁର, ସୋରେନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହିନ୍ଦୁ ଖ୍ରୀଷ୍ଟିଆନ୍ ଉଭୟ ଧର୍ମର ଲୋକ ଚର୍ଚ୍ଚ ଦ୍ୱାରା ଆୟୋଜିତ ସମାବେଶରେ ଯୋଗ ଦେଇଥିବାରୁ ଧାର୍ମୀକ ସହନଶୀଳତା ଓ ଭାଇଚାରା ସୃଷ୍ଟି କ୍ଷେତ୍ରରେ କାଶୀନଗରର ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ