ତ୍ରୁଟିପୁର୍ଣ୍ଣ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ : ତାଲିକାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ହାଟଡିହି, (ବିକାଶ ବିଶ୍ୱାଳ) :ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥିରିକୃତ ହୋଇଥିବା ତ୍ରୁଟିପୁର୍ଣ୍ଣ ସଂରକ୍ଷଣ ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆଜି ଆନନ୍ଦପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ ଏନେଇ ଏକ ସାମ୍ବାଦିକ ସମ୍ମଳନୀ କରି ସଂରକ୍ଷଣର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ୨୭ତାରିଖରେ ଜିଲ୍ଲାପାଳ ସଂରକ୍ଷଣ ତାଲିକାରେ ଦସ୍ତଖତ କରିଥିବାବେଳେ ଏହାକୁ ଚପାଇ ରଖାଯାଇ ୨୯ତାରିଖ ସନ୍ଧ୍ୟାରେ ପ୍ରକାଶ କରାଗଲା । ପୁର୍ନବିଚାର ପାଇଁ ୬ଜଣ ବିଭିନ୍ନ କାରଣକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ ଅଭିଯୋଗ ଶୁଣି ପୁର୍ନବିଚାର ପାଇଁ କୋର୍ଟ ଆଦେଶ ଦେଇଥିଲେ ଓ ଜିଲ୍ଲାପାଳ ଏହାର ଶୁଣାଣି କରିଥିଲେ, ମାତ୍ର ୨୨ଦିନ ପରେ ମଧ୍ୟ ଶୁଣାଣୀର ଫଳାଫଳ ଅଭିଯୋଗକାରୀଙ୍କୁ ଦିଆଗଲା ନାହିଁ । ଯେଉଁ ତାଲିକା ପ୍ରକାଶ ପାଇଲା ତାହା ୨୫/୧୦ରେ ପ୍ରକାଶ ପାଇଥିବା ତାଲିକା ସହ ସମାନ, ଯଦି ସମାନ ବାହାରିବାକୁ ଥିଲା ତେବେ ଏତେ ବିଳମ୍ବ କରାଗଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଜିଲ୍ଲାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକା ଭୁଲ ହୋଇଛି । ଉପଖଣ୍ଡର ୩ଟି ବ୍ଲକରୁ ଗୋଟିଏ ଅଧ୍ୟକ୍ଷ ପଦ ଅନୁସୁଚିତ ଜାତି ପାଇଁ ସଂରକ୍ଷିତ ରହିବ ତାହା ଠିକକିନ୍ତୁ ସବୁବେଳେ କେବଳ ହାଟଡିହି ବ୍ଲକ ସଂରକ୍ଷିତ ରହିବ ଓ ଆନନ୍ଦପୁର କି ଘସିପୁରା ବ୍ଲକ ସଂରକ୍ଷିତ ରହିବ ନାହିଁ ଏହା କେତେଦୁର ଯୁକ୍ତି ଯୁକ୍ତ । ତାହାହେଲେ ରୋଟେସନର ମାନେ କଣ ବୋଲି ସେ ପ୍ରଶ୍ନ କରିବା ସହିତ ଘସିପୁରା ଓ ଆନନ୍ଦପୁର ବ୍ଲକରେ ବିଜେଡି ନେତାଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନର ଏହା ଏକ ସୁଚିନ୍ତିତ ଯୋଜନା ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ମହିଳା ସଂରକ୍ଷଣ ବାବଦରେ ସରକାରଙ୍କ ନିୟମ ଏକଦମ ସ୍ପଷ୍ଟ । ପ୍ରତ୍ୟେକ ବର୍ଗର ପ୍ରଥମ ସିଟଟି ମହିଳା ଓ ତା ପରେ ଗୋଟେ ଛାଡି ଗୋଟେ ମହିଳା କରିବାର ନିୟମ ଥିବାବେଳେ ମାତ୍ର ଏପରି ହୋଇ ନାହିଁ । ସରପଞ୍ଚଙ୍କ ସଂରକ୍ଷଣ ତାଲିକା ରେ କିଛି ନିର୍ଦ୍ଦଷ୍ଟ ଲୋକଙ୍କୁ ଥଇଥାନ କରିବାପାଇଁ ଉଦ୍ଦେଶ୍ୟ ମୁଳକ ଭାବେ ଏପରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଚଳିତ ନିର୍ବାଚନରେ ରୋଟେସନ ଅନୁଯାଇ ଢ଼େଙ୍କା ପଞ୍ଚାୟତଟି ମହିଳାଙ୍କ ପାଇଁ ସଂରକ୍ଷଣ ରହିବାସ୍ଥଳେ ତାହାକୁ ସାଧାରଣ ବର୍ଗ କରାଯାଇଥିବାବେଳେ ଡଅଁର ସାଧାରଣବର୍ଗଙ୍କ ପାଇଁ ରହିବାସ୍ଥଳେ ତାହାକୁ ସାଧାରଣବର୍ଗ ମହିଳା କରାଯାଇଛି । ଗୋଟିଏ ଭୁଲକୁ ଲୁଚାଇବାକୁ ଯାଇ ଅନେକ ଭୁଲ କରାଯାଇଛି । ପଢ଼ିଆରିପଲ୍ଲୀ ସାଧାରଣବର୍ଗଙ୍କ ପାଇଁ ରହିବାସ୍ଥଳେ ତାକୁ ସାଧାରଣବର୍ଗ ମହିଳା କରାଯାଇଛି । ନିୟମାନୁଯାଇ ସଢ଼ା ସାଧାରଣବର୍ଗ ହେବାକୁ ଥିବାବେଳେ ତାହାକୁ ପୁନର୍ବାର ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଯଦି ଜିଲ୍ଲାପାଳ ତୁରନ୍ତ ଏହାର ତର୍ଜମା କରି ପୁର୍ନବିଚାର ନକରନ୍ତି ତେବେ ଆଇନର ଆଶ୍ରନେବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ସେଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଓବିସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ମଧୁସୁଦନ ରାଉତ, କୈଳାଶ ସାମଲ, ହରମୋହନ ଶାସିନି, ଶଶିକାନ୍ତ ରାଉତ, ଅଧର ବେହେରା, ଧନେଶ୍ୱର ରାଉତ, ସୁଶାନ୍ତ ଜେନା, ରମାକାନ୍ତ ନାୟକ, ବିଜୟ ଜେନା, ଟୁକୁନା କାହାଳି, ହରେକୃଷ୍ଣ ସ୍ୱାଇଁ, ଜ୍ଞାନେନ୍ଦ୍ର ମହାପାତ୍ର, ଅଭିନ୍ନ ରାଉଳ, ଜଗତଜୀବନ ଦେବତା, କୃଷ୍ଣଚନ୍ଦ୍ର ଜେନାଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ