ଜିଲ୍ଲା ପ୍ରଶାସନର ମହନୀୟତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :କୋଭିଡର ଦ୍ୱିତୀୟ ପର୍ଯ୍ୟାୟରେ ଏକ ବିହାରୀ ମହିଳା ଗଞ୍ଜେଇ ଚୋରାଚାଳାଣ କରୁଥିବା ବଳେ ତାଙ୍କର ଦୁଇଗୋଟି ଝିଅ ବୟସ ଯଥା ୫ ବର୍ଷ ଓ ୭ ବର୍ଷ ସହିତ ମୋହନା ପୋଲିସ ଦ୍ୱାରା ଧରାପଡି ପାରଳାଖେମୁଣ୍ଡି ସବଜେଲ୍ରେ ବିଚାରଧିନ ବନ୍ଦିନୀ ହିସାବରେ ରହି ଆସୁଛନ୍ତି । ତାଙ୍କ ସହିତ ତାଙ୍କର ଉପରୋକ୍ତ ଦୁଇଟି ଝିଅ ମଧ୍ୟ ଜେଲରେ ରହି ଆସୁଥିଲେ । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଜେଲ ପରିଦର୍ଶନ ସମୟରେ ଉପରୋକ୍ତ ଦୁଇ ଛୁଆ ଜେଲରେ ରହିବା କଥା ନଜରକୁ ଆସିବା ସହ ସେମାନଙ୍କର ଅଧିକାର ଏବଂ ଯତ୍ନ ଉପରେ ବାଧା ପ୍ରାପ୍ତ ହେବା କଥା ମଧ୍ୟ ନଜରକୁ ଆସିଥିଲା । ଏହାପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଏବଂ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସହଯୋଗ ଓ ଶିଶୁ ମାନଙ୍କର ମାଁର ପ୍ରାର୍ଥନା କ୍ରମେ ଶିଶୁ ମାନଙ୍କୁ ବିହାର ପ୍ରଦେଶର ପାଟନା ଜିଲ୍ଲାରେ ରହୁଥିବା ସେମାନଙ୍କର ଆଇଙ୍କ ପାଖକୁ ପଠାବା ପାଇଁ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତି ସମୟରେ ଶିଶୁ ମାନଙ୍କର ଆଇଙ୍କର ଚରିତ୍ର ଏବଂ ଘରୋଇ ବିବରଣୀ ପ୍ରଦାନ କରିବା ପାଇଁ ପାଟନା ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା । ସେମାନଙ୍କ ଠାରୁ ସବୁଜ ସଙ୍କେତ ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ଜିଲ୍ଲା ପୋଲିସ ସହୟତାରେ ସ୍ଥାନାନ୍ତରିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହା ଭିତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗଜପତି ନିକଟରେ ପିଲାମାନଙ୍କୁ ଉପସ୍ଥାପନ କରାଯାଇ ଆବଶ୍ୟକନିର୍ଦ୍ଦେଶ ଗ୍ରହଣ କରାଯାଇଥିଲା । ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତିର ସାମାଜିକ କର୍ମୀ ନରେଶ କୁମାର ନାୟକଙ୍କ ନେତୃତ୍ୱରେ ଦୁଇଜଣ ମହିଳା କନେଷ୍ଟବଳଙ୍କ ସହାୟତାରେ ଶିଶୁ ମାନଙ୍କୁ ଆଜି ପାଟନାର ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇଛି । ଏଥିରେ ସବ୍ଜେଲ ପାରଳାଖେମୁଣ୍ଡି ସୁପରିଟେଣ୍ଡଣ୍ଡ ହନୁମନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।


