ସେବାରେ ଭାରତୀୟ ସେନା

ପ୍ରତିବର୍ଷ ଆମେ କେତେକ ଆନ୍ତର୍ଜାତିକ ଏବଂ ଜାତୀୟ ଦିବସ ପାଳନ କରୁ । ଯାହା ବିଶ୍ୱ ସମ୍ବନ୍ଧୀୟ ତାହା ଆନ୍ତର୍ଜାତୀକ ଦିବସ ଏବଂ ଯାହା ଭାରତ ବା ଆମ ଦେଶ ସମ୍ବନ୍ଧୀୟ ତାହା ହେଉଛି ଜାତୀୟ ଦିବସ । ଏହି ଜାତୀୟ ଦିବସମାନଙ୍କ ମଧ୍ୟରୁ ୧୫ ଜାନୁୟାରୀ ଆମ ଭାରତୀୟମାନଙ୍କ ପାଇଁ ଏକ ଜାତୀୟ ଦିବସ ଯାହାକୁ ଆମେ ‘ସେନା ଦିବସ’ ରୂପେ ପାଳନ କରୁ । ‘ସେନା’ କହିଲେ ପଦାତିକ, ଆକାଶ ଏବଂ ନୌସେନାମାନଙ୍କୁ ସାମଗ୍ରୀକ ଭାବେ ବୁଝାଏ । କିନ୍ତୁ ଏଠାରେ ‘ସେନା ଦିବସ’ କହିଲେ କେବଳ ‘ସ୍ଥଳସେନା’ ଦିବସ ବୋଲି ଧରି ନେବାକୁ ହେବ ।
୧୫ ଜାନୁୟାରୀଟି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ୧୫ ଜାନୁୟାରୀ ୧୯୪୯ ମସିହାରେ ସ୍ୱାଧୀନତାପ୍ରାପ୍ତି ପରେ ଆମର ଲେଫ୍ଟନାଣ୍ଟ ଜେନେରାଲ କେ.ଏମ୍. କ୍ୟାରିଆପା (କୋଦାନ୍ଦ୍ରେ ମାଡ଼ାପା କ୍ୟାରିଆପା) ବ୍ରିଟିଶ କମାଣ୍ଡର-ଇନ୍-ଚିଫ୍ ସାର୍ ଫ୍ରାନ୍ସିସ୍ ବଚରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । କ୍ୟାରିଆପା ହେଉଛନ୍ତି ଭାରତୀୟ ପଦାତିକବାହିନୀର ସ୍ୱାଧୀନତା ପରେ ପ୍ରଥମ ଭାଗରେ କମାଣ୍ଡର-ଇନ୍-ଭାରତୀୟ ଚିଫ୍ । ଏଣୁ ଏହି ଦିବସଟି ତାଙ୍କ ପାଇଁ ଏକ ସ୍ମୃତି ତଥା ଯେଉଁ ଅମର ଯବାନମାନେ ଏ ଦେଶ ପାଇଁ ବୀରତ୍ୱ ଓ ସାହସିକତାର ସହ ପ୍ରାଣବଳୀ ଦେଇଛନ୍ତି/ଦେଉଛନ୍ତିା ସେମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସମ୍ମାନ ପ୍ରଦର୍ଶନ ପାଇଁ ପ୍ରତିବର୍ଷ ଏହି ୧୫ ଜାନୁୟାରୀ ଦିବସଟି ଆମ ସେନା ଦିବସ ରୂପେ ପାଳନ କରୁଅଛୁ ।
ଏହି ଦିବସଟିରେ ଭାରତର ରାଜଧାନୀ ଦିଲ୍ଲୀ ଏବଂ ସମସ୍ତ ମୁଖ୍ୟ ହେଡ୍କ୍ୱାଟର୍ସମାନଙ୍କରେ ସାମରିକ ପରେଡ଼ ଓ କଳା-କୌଶଳ ମାନ ପ୍ରଦର୍ଶନ କରାଯାଇଥାଏ । ଏହି ଅବସରରେ ଇଣ୍ଡିଆଗେଟ୍ ଦିଲ୍ଲୀ ଠାରେ ଥିବା ‘ଅମର ଯବାନ ଜ୍ୟୋତି’ ପ୍ରତି ପ୍ରଥମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ସ୍ମୃତି ତର୍ପଣ କରାଯାଏ । ଏହାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲୁରୁହେ । ଏହି ଅନ୍ୟାନ୍ୟ କାର୍ଯ୍ୟକ୍ରମମାନଙ୍କ ମଧ୍ୟରେ ଅଛି ସୈନିକମାନଙ୍କୁ ‘ସାହାସୀ ପଦକ’ (ଟଦ୍ଭସଗ୍ଧ ମକ୍ସରୟସଦ୍ଭଗ୍ଧସବକ୍ଷଗ୍ଦ ବଦ୍ଭୟ ଝରଦ୍ଭବ ଜ୍ଞରୟବକ୍ଷ) ପ୍ରଦାନ । ଏହିଦିନ ଜାମ୍ମୁ ଓ କାଶ୍ମୀରରେ ମଧ୍ୟ ବଛା ବଛା କିଛି ସୈନିକଙ୍କୁ ‘ସେନା ମଡେଲ’ ଓ ‘ବିଶିଷ୍ଟ ସେନା ମେଡାଲ’ ପ୍ରଦାନ କରାଯାଏ ।
ଭାରତୀୟ ସେନା ଯେ କୌଣସି କଠିନ ଏବଂ ଦୁଃସାଧ୍ୟ ପରିସ୍ଥିତିରେ ଯୁଦ୍ଧ ପାଇଁ ସଦା ପ୍ରସ୍ତୁତ । କେବେ କେବେ ଧୂ ଧୂ ଖରାରେ ତତଲାବାଲିରେ ମରୁଭୂମିରେ ତ, କେତେବେଳେ ସୁ-ଉଚ୍ଚ ବରଫାବୃତ ସିଆଚୀନ୍ ଅଞ୍ଚଳରେ; କେବେ ପୁଣି ଇଣ୍ଡୋ-ଚୀନ୍ ସୀମାରୁ ଭୁଟାନ୍ ଅଞ୍ଚଳର ‘ଡୋକଲାମ’ ବିବାଦୀୟ ସୀମାରେ ସେମିତି ଇଣ୍ଡୋପାକ ଏବଂ ଇଣ୍ଡୋ-ବଙ୍ଗଳାଦେଶ ସୀମାରେ ତାଙ୍କ ପଇଁତରା ବା ପହରା । ଜୀବନକୁ ନାହିଁ ଭୃକ୍ଷେପ, ମୃତ୍ୟୁକୁ ନାହିଁ ଭୟ । ଆତ୍ମୀୟମାନଙ୍କକ ଠାରୁ ଦୂରେଇ ରହି ଏବଂ ସେମାନଙ୍କୁ ଭୁଲି ବ୍ରତ ଖାଲି ଦେଶ ମାତୃକାର ସେବା : ମାରେ ଅ ବା ମରେ; କରେ ନୋହିଲେ ତରେ । ମୋ ଦେଶ ମହାନ୍ । ସେମାନେ ଏ ଦେଶର ସଜାଗ ପ୍ରହରୀ ।
ଦେଶରକ୍ଷାରେ ଯୁଦ୍ଧ ତାଙ୍କ ବ୍ରତ । ତା’ ବ୍ୟତୀତ ପ୍ରାକୃତିକ ଦୁର୍ବିପାକ ଯଥା- ବନ୍ୟା, ବାତ୍ୟା, ଭୂମିକମ୍ପ, ଭୂପାତ ସୁନାମୀ, ଅଗ୍ନିଉତ୍ପାତ ଏବଂ ଏମିତି ଯାହାକିଛି ବିପତ୍ତି ବେଳେ ମାନବୀୟ ସେବା, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟକୁ ସେମାନେ ଛିଡ଼ା । ବିଶ୍ୱଶାନ୍ତି ପାଇଁ ଜାତିସଂଘ ଡାକରାରେ ସଦା ତିଆର । ସଂପର୍କର ସେତୁରେ ଅନ୍ୟଦେଶ ସୈନ୍ୟଙ୍କ ସହ ସେମାନଙ୍କର ସମରାଭ୍ୟାସ, ଗଣ୍ଡଗୋଳ, ଦଙ୍ଗା ହଙ୍ଗମା, କନ୍ଦଳ ଆନ୍ଦୋଳନ, ହଟ୍ଟଗୋଳ କି ହରତାଳ ବେଳେ ଶାନ୍ତି ଓ ସୁଧାର ପାଇଁ ସେମାନେ ତତ୍କାଳିକ ମୁହୂର୍ତ୍ତରେ ଛିଡ଼ା ଏମିତିରେ ସେମାନଙ୍କ ସେବାକୁ ଭଣିବାରେ ଭାଷା ନାହିଁ ।
ଭାରତ ସ୍ୱାଧୀନତା ପରଠୁ ଅନେକବାର ଯୁଦ୍ଧ ଦେଖିଛି । ସେଥିମଧ୍ୟରୁ ଭାରତ-ପାକ୍ ଯୁଦ୍ଧ ୧୯୪୮, ୧୯୬୫, ୧୯୭୧ ଏବଂ ୧୯୯୯ କାର୍ଗିଲ ଯୁଦ୍ଧ । ଚୀନ୍ ସହ ୧୯୬୨ ଓ ୧୯୬୬ର ଯୁଦ୍ଧ । ଏହା ବ୍ୟତୀତ ୧୯୫୯ର ତିବ୍ଦତ ବିଦ୍ରୋହ, ୧୯୮୪ର ସୂର୍ଣ୍ଣ ମନ୍ଦିର ବିଦ୍ରୋହରେ ବିଦ୍ରୋହୀ ସାମ୍ନା କରିଛି ଭାରତୀୟ ସେନା, ସେମିତି ସଂସଦଭବନ ଆକ୍ରମଣ ଠାରୁ ଆରମ୍ଭ କରି ଅନେକ କିଛି ସାମ୍ନା କରିଛି ଭାରତୀୟ ସେନା ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ହେଉଛି ୨୯ ସେପ୍ଟେମ୍ବର ୨୦୧୬ ରାତିରେ ପିଓକେର ଥିବା ଆତଙ୍କବାଦୀ ପ୍ରତି ସର୍ଜିକାଲ ଷ୍ଟ୍ରାଇକ୍ ।
ଭାରତୀୟ ସେନା ତା’ର ସୈନ୍ୟବଳ ଏବଂ ଅସ୍ତ୍ରଶସ୍ତ୍ରରେ ବେଶ୍ ଆଗାଇଛି । ସେପ୍ଟେମ୍ବର ୨୦୧୫ର ଏକ ଆକଳନରୁ ତା’ ସୈନ୍ୟ ସାମର୍ଥ୍ୟ (ଅବଶ୍ୟ ତିନିବାହିନୀ ନେଇ) ସ୍ଥିତି ଏହିପରି ?
ସକ୍ରିୟସେନା : ୧୩.୨୫ ଲକ୍ଷ, ବିମାନ : ୧୯୦୫, ଯୁଦ୍ଧବିମାନ : ୭୬୧, ହେଲକପ୍ଟର : ୫୮୪, ଟ୍ୟାଙ୍କ : ୬୪୬୪, ଯୁଦ୍ଧଜାହାଜ : ୨୦୨, ବିମାନବାହିନୀ ଜାହାଜ :୨, ବୁ୍ଡ଼ାଜାହାଜ : ୧୫, ପରମାଣୁ ବୋମା : ୯୦-୧୦୦, ଶକ୍ତିଶାଳୀ କ୍ଷେପଣାସ୍ତ୍ର : ଅଗ୍ନି-୫ । ଭାରତର ସ୍ଥଳସେନାରେ ନିୟୋଜିତ ମାରଣାସ୍ତ୍ର ମଧ୍ୟରେ ଅଛନ୍ତି : ସୁଖୋଇ-୩୦, ଏୟାରବର୍ଣ୍ଣ ୱାର୍ଣ୍ଣିଂ ବ୍ୟାଣ୍ଡ କଣ୍ଟ୍ରୋଲ ସିଷ୍ଟମ, ଭୀଷ୍ମଟ୍ୟାଙ୍କ, ବ୍ରହ୍ମାଣ୍ଡ କ୍ଷେପଣାସ୍ତ୍ର; ଅଗ୍ନି-୧, ସି-୧୩୦, ପିନାକ; ନାଗ; ଅର୍ଜୁନ ଟ୍ୟାଙ୍କ, ବରାକ-୮ କ୍ଷେପଣାସ୍ତ୍ର ଏବଂ ଆହୁରି ଅନେକ ।
ଏବେ ନିକଟରେ ଇଣ୍ଡିଆନ୍ ଏୟାରଫୋର୍ସର ମାର୍ଶାଲ ଘୋଷଣା କରିଛନ୍ତି ଯେ ଆମ ଚିରାଚରିତ ଶତ୍ରୁ ପାକିସ୍ତାନ ଓ ଚୀନ ଯଦି ଏକ ସମୟରେ ଆମକୁ ଆକ୍ରମଣ କରନ୍ତି ତେବେ ଭାରତର ସୈନ୍ୟବଳ ଯେ କୌଣସି ପରିସ୍ଥିତିରେ ସେମାନଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ । ଏଥିରୁ ଆମ ସୈନ୍ୟବଳର ଦକ୍ଷତା ଓ ସାମର୍ଥ୍ୟ ନେଇ କିଛି ବି ପ୍ରଶ୍ନ କରିବାର ନାହିଁ । ଭାରତୀୟ ସେନା ଆମ ଦେଶର ଜାଗ୍ରତ ପ୍ରହରୀ । ସେମାନେ ତାଙ୍କ ସେବା ଓ ଜୀବନ ବିନିମୟର ଆମକୁ ଦେଇଛନ୍ତି ଶାନ୍ତି, ସୁଖସୁପ୍ତି, ନିରାପତ୍ତା ଏବଂ ନିଶ୍ଚିତ ନିଶ୍ଚିନ୍ତତା । ହେ ବୀର ପୁଙ୍ଗବ, ତୁମ ସାହସ ଓ ବୀରତ୍ୱର ତୁଳନା ନାହିଁ । ତୁମେ ସଦା ପ୍ରଣମ୍ୟ । ଜୟ ଯବାନ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮