ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗତକାଲି ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମିଳିତ ପ୍ୟାରେଡ ଦଳର ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ଜାତି ଓ ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ ଶ୍ରୀପଣ୍ଡା କହିଥିଲେ ଯେ, ଜାନୁଆରୀ ୨୬ ତାରିଖ ପରିବତ୍ର ସାଧାରଣ ତନ୍ତ୍ର ଦିବସ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ମରଣୀୟ ଦିବସ ଏବଂ ଆମ ଜାତି ଓ ଦେଶ ପାଇଁ ଏକ ଗୌରବମୟ ଦିବସ । ଭାରତର ସ୍ୱାଧୀନତା ଆନ୍ଦୋଳରେ ଓଡିଶାର ଗଜପତି ଜିଲ୍ଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଣପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଏହି ଗଜପତି ଜିଲ୍ଲା ରାଜନୀତି ଠାରୁ ଆରମ୍ଭ କରି କଳା, ସଂସ୍କୃତି, ସଙ୍ଗୀତ, ସାହିତ୍ୟ ଓ ନାଟ୍ୟ ଜଗତରେ ବହୁ ପ୍ରତିଷ୍ଠା ଲାଭ କରିଥିବା ଏହି ମାଟିରେ ଜନ୍ମ ନେଇଛନ୍ତି ବହୁ ଯୁଗଜନ୍ମା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ସମ୍ବିଧାନ ମହାସଭାର ସଦସ୍ୟ ଭାବେ ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକା ରାଷ୍ଟ୍ରର ସମ୍ବିଧାନକୁ ଆହୁରି ସଶକ୍ତି କରିଥିଲେ । ସମସ୍ତ ଗଜପତିବାସୀ ଆମ ଜିଲ୍ଲା, ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ମିଳିମିଶି କାର୍ଯ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସର୍ବସ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଓ ଜିଲ୍ଲାସ୍ତରୀୟ ରଚନା ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ । କର୍ତ୍ତବ୍ୟ ନିଷ୍ଠାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାରଳାଖେମୁଣ୍ଡି ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଆୟା ସଙ୍ଗୀତା ନାୟକ, ନାରାୟଣପୁର ଅଙ୍ଗନବାଡି କର୍ମୀ ସ୍ନେହଲତା ଶବର, ଆର୍. ଉଦୟଗିରିର ଅପହ ସ୍ଥାନରୁ ପ୍ରସୂତୀ ମହିଳାଙ୍କୁ ଷ୍ଟେଚର ଯୋଗେ ବୋହି ଆଣି ଆମ୍ବୁଲାନ୍ସ ଦ୍ୱାରା ବିଭିନ୍ନ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିବା ଆମ୍ବୁଲାନ୍ସ ଡ୍ରାଇଭର କୃଷ୍ଣଚନ୍ଦ୍ର ନାୟକ, ଆମ୍ବୁଲାନ୍ସ ସହାୟକ ଲୁକା ବଡରଇତ ଏବଂ ଆର୍.ଉଦୟଗିରିର ଆପାତକାଳୀନ ଟେକନିସିଆନ୍ ସଦାଶିବ ପାଣିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହପିରି ୨୦୨୧-୨୨ ବର୍ଷ ସର୍ବଭାରତୀୟ ସିଭିଲ ସର୍ଭିସ୍ ଦୌଡକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଗଜପତି ଜିଲ୍ଲା ଅବକାରୀ ବିଭାଗର କିଶୋର ଚନ୍ଦ୍ର ରଥଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଏହି ସମାରୋହ କାର୍ଯ୍ୟକ୍ରମରେ ମାତ୍ର ୨ଟି ପୋଲିସ ପ୍ଲାଟୁନ ଓ ଗୋଟିଏ ମିଳିତ ବ୍ୟାଣ୍ଡ ଦଳ ଯଥା ତୃତୀୟ ସ୍ୱତନ୍ତ୍ର ସୁରକ୍ଷା ସଶସ୍ତ୍ର ବାଟାଲିଅନ ଏବଂ ଜିଲ୍ଲା ପୋଲିସ ସଶସ୍ତ୍ର ବାହିନୀଙ୍କ ସମେତ ଜିଲ୍ଲା ପୋଲିସ ଓ ୩ୟ ଏସ୍ଏସ୍ବିଏନ୍ର ମିଳିତ ବ୍ୟାଣ୍ଡ ଦଳ ଭାଗ ନେଇଥିଲେ । ଏହି ପ୍ୟାରେଡ ଦଳର ଆର୍ଆଇ ଡମ୍ବରୁଧର ହୋନାଗା ଏବଂ ସରଜେଣ୍ଟ ଏମ୍.ଲକ୍ଷ୍ମୀ ରଞ୍ଜନଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା । ଶେଷରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀପଣ୍ଡା ଉପକାରାଗାର, ଜିଲ୍ଲା ମୁଖ୍ୟଡାକ୍ତରଖାନା ଓ କୃଷ୍ଠାଶ୍ରମ ପରିଦର୍ଶନ କରି ମିଷ୍ଟାନ ଆଦି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, କମାନଡେଣ୍ଟ ଜୁରିଆ ବେହେରା, ଏଏସ୍ପି ବାମଦେବ ସିଂହ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନି, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ୱରାଜ ଶିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା କରିଥିବାବେଳେ ଡିପିଆର୍ସି ଫେକ୍ୟୁଆଲଟି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ନରସିଂହ ଭଜବନ୍ଧୁ, ଦିଲ୍ଲୀପ ରଥ ପ୍ରମୁଖ ସହଯୋଗ କରିଥିଲେ ।


