ନିର୍ବାଚନ ମଇଦାନରେ ସ୍ୱାମୀ ସ୍ତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ପରିବାରର ଏକାଧିକ ଲୋକ ନିର୍ବାଚନ ରଣାଙ୍ଗନରେ ସାମିଲ ହୋଇଥିବା ଦେଖିବାକୁ ମିଳୁଛି । କେଉଁଠି ବାପ, ପଅ ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀ ଏବଂ ଆଉ କେଉଁଠି ଭାଇ ଭାଇ, ଯାଆ ଯାଆ ମଧ୍ୟରେ ଳଢ଼େଇ ହେଉଛି । ହାଟଡିହି ବ୍ଲକର ଶାସଙ୍ଗ ପଞ୍ଚାୟତରେ ସ୍ୱାମୀସ୍ତ୍ରୀ, ଡଅଁର ପଞ୍ଚାୟତରେ ତିନି ଯାଆ ନିର୍ବାଚନରେ ଅବତିର୍ଣ୍ଣ ହୋଇଥିବାବେଳେ ବାଙ୍ଗୋର ପଞ୍ଚୟତରେ ସ୍ୱାମୀ ସ୍ତ୍ରୀ ନିର୍ବାଚନରେ ଅବତୀର୍ଣ୍ଣ ହେବା ଦେଖିବାକୁ ମିଳିଛି । ସ୍ୱାମୀ ବିବେକାନନ୍ଦ ରାଉତ ୩୪ନଂ ଜୋନରେ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ସ୍ତ୍ରୀ ସୁପ୍ରଭା ରାଉତ ବାଙ୍ଗୋର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ନିର୍ବାଚନରେ ବିବେକାନନ୍ଦ ରାଉତ ବାଙ୍ଗୋର ପଞ୍ଚାୟତର ସମିତିସଭ୍ୟ ଭାବେ ବିଜୟୀ ହୋଇଥିବାବେଳେ ସୁପ୍ରଭା ରାଉତ ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଉଭୟ ପ୍ରାର୍ଥୀ ଜିତିବା ନେଇ ଆଶାବାଦୀ ଅଛନ୍ତିବୋଲି କହିଛନ୍ତି ।