୧୦ରୁ ଜିଲ୍ଲାରେ ଫାଇଲେରିଆ ଔଷଧ ସେବନ ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆସନ୍ତା ୧୦ ତାରିଖରୁ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗଣମାଧ୍ୟମ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଲିମ୍ଫାଟିକ ଫାଇଲେରିଆ ରୋଗର ଭୟାବହତା ସମ୍ପର୍କରେ ଆଲୋଚନା ସହ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ପ୍ରସାର ସୁନିଶ୍ଚିତ କରିବା ଏହି କର୍ମଶାଳାର ଲକ୍ଷ୍ୟ ବୋଲି ଜିଲାମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ । ଆସନ୍ତା ୨୦୩୦ ମସିହା ସୁଦ୍ଧା ଫାଇଲେରିଆ ନିରାକରଣ କରିବାକୁ ଭାରତର ପ୍ରତିବଦ୍ଧତାକୁ ମନ ମଧ୍ୟରେ ରଖି ଲିମ୍ଫାଟିକ ଫାଇଲେରିଆସିସ ମୂଳୋତ୍ପାଟନ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ସରକାର ପ୍ରତ୍ୟେକ ଜିଲେରେ ଫେବୃଆରୀ ୧୦ରୁ ଏମଡିଏ ପଯ୍ୟାୟଗୁଡିକ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ କି ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସୁରକ୍ଷାମୂଳକ ସତର୍କତା ଯଥା ହାତ ଧୋଇବା, ମାସ୍କ ପରିଧାନ ଏବଂ ଶାରୀରିକ ଦୂରତା ବଜାୟ ରଖିବା ଆଦି ଅନୁପାଳନ କରାଯିବା ଉପରେ ଏହି ଗଣମାଧ୍ୟମ କର୍ମଶାଳାରେ ଅଧିକାରୀମାନେ ସୂଚନା ଦେଇଥିଲେ । ଏନେଇ ଜିଲ୍ଲାରେ ସମସ୍ତ ଯୋଗ୍ୟ ହିତାଧିକାରୀ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ଲୋକଙ୍କୁ ଆଶା, ଅଙ୍ଗନୱାଡି କର୍ମୀ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଲୋକମାନେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଜନସମୂଦାୟ ଯେଭଳି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବେ, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ ସେବନ ଦ୍ୱାରା ରୋକା ଯାଇପାରିବ । ଫାଇଲେରିଆ ନିରୋଧୀ ଔଷଧ ସେବନ ପରବର୍ତ୍ତୀ ସମୟରେ ସାଧାରଣତଃ ପ୍ରକାଶ ପାଉଥିବା ସାମାନ୍ୟ ପାଶ୍ୱର୍ପ୍ରତିକ୍ରିୟା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦେହ କୁଣ୍ଡାଇହେବା, ବାନ୍ତି ଲାଗିବା ଭଳି ଲକ୍ଷଣ ପ୍ରକାଶ ପାଇପାରେ । ତେବେ ଏହି ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା କାରଣରୁ ଫାଇଲେରିଆ ନିରୋଧୀ ଔଷଧ ସେବନରୁ ବିରତ ରହିବା ଅନୁଚିତ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯଇଛି । ତେବେ ଏହି ଅଭିଯାନକୁ ସଫଳ କରିବା ପାଇଁ ସବୁ ମହଲର ସହଯୋଗ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ନିବେଦନ କରିଛନ୍ତି ।


