ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ 

ହିଞ୍ଜିଳି କାଟୁ, (ଶେଷଦେବ ସାହୁ) :-ଆସନ୍ତା ୧୬ ତାରିଖରେ ହିଞ୍ଜିଳିବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।ବ୍ଲକର ସମୁଦାୟ ୨୧ ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତରେ ସହମତି ଭିତ୍ତିରେ ସରପଞ୍ଚ ପଦବୀ ଚୟନ ହୋଇଥିଲା ବେଳେ ଅବଶିଷ୍ଟ ୧୭ ଟି ପଞ୍ଚାୟତରେ ବିଧିବଦ୍ଧ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।ବିଭିନ୍ନ ପଞ୍ଚାୟତରେ ବହୁ ଆଶାୟୀ ସରପଞ୍ଚ ପଦବୀ ହାତେଇବା ପାଇଁ ଆଶା ବାନ୍ଧିଥିବା ବେଳେ ନିର୍ବାଚନ ଲଢେଇ ତୀବ୍ର ହେବା ଦେଖାଦେଇଛି । ନିଜ ସପକ୍ଷରେ ଜନ ସମର୍ଥନ ହାସଲ କରିବା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି।ଗତ ଦୁଇ ଦିନ ଧରି ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ମହୋଲ ବେଶ ଉଷ୍ମ ହେବାରେ ଲାଗିଛି ।ଗାଁ ଗାଁ ରେ ପ୍ରକମ୍ପିତ ହେଉଛି ବିଭିନ୍ନ ଢଙ୍ଗରେ ପ୍ରାର୍ଥୀଙ୍କ ନିର୍ବାଚନୀ ସଙ୍ଗୀତ।ପ୍ରଚାର ଓ ପ୍ରସାର ପାଇଁ ସାହି ଗଳିରେ ବୁଲୁଛି ପ୍ରାର୍ଥୀଙ୍କ ସୁସଜ୍ଜିତ ପ୍ରଚାର ଗାଡି । ଏବେ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କସରତ ଓ ପ୍ରତିଯୋଗିତା । ବିଶେଷ କରି ସମଗ୍ର ହିଞ୍ଜିଳି ବ୍ଲକର ସରପଞ୍ଚ ପଦବୀ ସକାଶେ  ଖରିଡା ପଞ୍ଚାୟତରେ ବହୁମୁଖୀ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି।ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ପଦବୀ ହାସଲ କରିବା ପାଇଁ ୮ଜଣ ଆଶାୟୀ ପ୍ରାର୍ଥୀନୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଥିବା ଦେଖିବାକୁ ମିଳିଛି।କିନ୍ତୁ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ପୂର୍ବରୁ ସରପଞ୍ଚ ଭାବେ ଦାୟିତ୍ୱ ନିର୍ବାହ କରିଥିବା ସନ୍ଧ୍ୟାରାଣୀ ବେହେରା ଦୀର୍ଘ ବର୍ଷ ପରେ ନିଜ ଅଭିଜ୍ଞତା ଓ ଏକ ବିକଶିତ ପଞ୍ଚାୟତ ଗଢିବା ଲକ୍ଷ୍ୟରେ  ପୁଣି ଥରେ ନିର୍ବାଚନ ମଇଦାନକୁ ଓଲ୍ହାଇ ସରପଞ୍ଚ ଦୌଡ଼ରେ ଅଛନ୍ତି।ଅନ୍ୟ ନବାଗତ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ସରପଞ୍ଚ ପଦବୀ ସକାଶେ ଚଳିତ ଥର ସନ୍ଧ୍ୟାରାଣୀ ଜଣେ ପ୍ରମୁଖ ଦାବୀଦାର ଥିବା ବେଳେ ଖରିଡା ଓ ଗିରିଆ ନାରାୟଣ ପୁର ଗ୍ରାମରେ ତାଙ୍କ ପ୍ରତି ଭୋଟରଙ୍କ ଆଶା ଭରସା ବୃଦ୍ଧି ପାଇଛି। ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଘରକୁ ଘର ବୁଲି ବୃଦ୍ଧଙ୍କ ଠାରୁ ମହିଳା ଓ ଯୁବ ଭୋଟରଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ସାହି ସାହି ଗସ୍ତ କରି ନିଜ ପ୍ରଚାରକୁ ଜୋରଦାର କରିଛନ୍ତି ।ସମ୍ପୃକ୍ତ ପଞ୍ଚାୟତର ଅଭିଜ୍ଞ ନେତା,ବିଦ୍ୱାନ ମଣ୍ଡଳୀ,ଶୁଭେଚ୍ଛୁ ଓ ସମର୍ଥକ ଓ ସମସ୍ତଙ୍କ ଅକୁଣ୍ଠ ସମର୍ଥନ,ସହଯୋଗ,ସ୍ନେହ ଶ୍ରଦ୍ଧାକୁ ପାଥେୟ କରି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ବଜାୟ ରଖିବା ସହ ମହିଳା ସଶକ୍ତିକରଣ ଓ ପଞ୍ଚାୟତବାସୀଙ୍କ ଦୁଃଖ ଓ ସୁଖରେ ସଦା ସର୍ବଦା ଭାଗିଦାର ରହିବା ତାଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି ବୋଲି କହି ସେ ଭୋଟରଙ୍କୁ ସଚେତନ କରୁଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ