୬ ନମ୍ବର ଜୋନରେ ୩ ମହିଳାଙ୍କ ମଧ୍ୟରେ ହେବ ଟକ୍କର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶ୍ୟାମସୁନ୍ଦରପୁର, ଭରତପୁର, ଚକୋଡ଼ା, ଭାଗବତପୁର, ଯମଧର, ଗୁଲନଗର ପ୍ରମୁଖ ପଞ୍ଚାୟତକୁ ନେଇ ୬ ନମ୍ବର ଜୋନ ଗଠିତ । ଏହି ଜୋନରେ ୩ ମହିଳାଙ୍କ ମଧ୍ୟରେ ଏବେ ଯୋରଦାର ଟକ୍କର ଚାଲିଛି । ଏହି ୩ ମହିଳାଙ୍କ ମଧ୍ୟରୁ ଜଣେ ହେଲେ ବିଜେଡି ପ୍ରାର୍ଥୀ ନିର୍ମଳା ମହାନ୍ତି । ନିର୍ମଳା ହେଉଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତିଙ୍କ ପତ୍ନୀ । ପ୍ରଦୀପ୍ତ ୧୯୯୨-୧୯୯୫ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷ ଥିଲେ । ନିର୍ମଳା ମଧ୍ୟ ପୂର୍ବରୁ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷା ଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କର ଏହି ଜୋନରେ ବେଶ ଦବଦବା ରହିଛି । ଏଥିସହ ଉଭୟଙ୍କର ବେଶ ଲୋକପ୍ରିୟତା ମଧ୍ୟ ରହିଛି । ଉଭୟ ସେମାନଙ୍କ ଅମଳରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ନିର୍ମଳା ମହାନ୍ତିଙ୍କୁ ଜିତାଇବା ପାଇଁ ଦଳ ତାଙ୍କ ସ୍ୱାମୀ ପ୍ରଦୀପ୍ତ ରାତିଦିନ ଏକକାର କରି ଦେଇଛନ୍ତି । ଏ ସଂକ୍ରାନ୍ତରେ ନିର୍ମଳା ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ମୋ ସ୍ୱାମୀ ପୂର୍ବରୁ କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ଥିଲେ । ମୁଁ ମଧ୍ୟ ବ୍ଲକର ଅଧ୍ୟକ୍ଷା ଥିଲି । ଆମ ସମୟରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ଆମେ କରିଛୁ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଦଳରେ ଯୋଗ ଦେଇଥିଲୁ । ଏବେ ଆମେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛୁ । ନବୀନ ବାବୁଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ, ଜନହିତକାରୀ ଯୋଜନା ମୋର ନିର୍ବାଚନୀ ଅସ୍ତ୍ର ବୋଲି ନିର୍ମଳା କହିଛନ୍ତି । ତେଣୁ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଲୋକେ ମୋତେ ନିଶ୍ଚିତ ବହୁମତ ଦେବେ । ବିଜେପିର ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତା ରାଉତ । ଏହି ଜୋନରେ ଗତ ଥର ବିଜେପି ଟିକଟରେ ଜିତିଥିଲେ ଦେବାଶିଷ ଦାସ । ହେଲେ ଏଥର ସେ ତାଙ୍କ ପତ୍ନୀ ରଶ୍ମିତା ଦାସଙ୍କ ପାଇଁ ଟିକଟ ପାଇବାକୁ ଦଳରେ ଲବି କରିଥିଲେ । କିନ୍ତୁ ତାଙ୍କ ଲବି କାମ ଦେଲାନି ଅର୍ଥାତ ତାଙ୍କ ପତ୍ନୀଙ୍କୁ ଟିକଟ ମିଳିଲାନି । ଫଳରେ ତାଙ୍କ ପତ୍ନୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଛିଡା ହୋଇଛନ୍ତି । ତେଣୁ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ କଣ୍ଟା ହେବେ । ସେ ବିଜେପି ପ୍ରାର୍ଥୀଙ୍କ ଭୋଟ କାଟିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି । ଏ ସଂକ୍ରାନ୍ତରେ ବିଜେପି ପ୍ରାର୍ଥୀ ସଙ୍ଗୀତା ରାଉତଙ୍କୁ ପଚାରିବାରୁ ସେ କହିଲେ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ତାଙ୍କର ଜାତୀୟ ସ୍ତରରେ ଥିବା ଭାବମୂର୍ତ୍ତି ହେଉଛି ମୋର ନିର୍ବାଚନୀ ଅସ୍ତ୍ର । ବର୍ତ୍ତମାନ ନାରୀ ନିର୍ଯ୍ୟାତନା ରାଜ୍ୟରେ ବଢି ଚାଲିଛି । ମୁଁ ଜଣେ ନାରୀ ହୋଇଥିବାରୁ ନାରୀମାନଙ୍କୁ ସୁରକ୍ଷା ଦେବା ମୋର ପ୍ରଥମ କର୍ତ୍ତବ୍ୟ ହେବ । କଂଗ୍ରେସରୁ ପ୍ରାର୍ଥୀ ହୋଇଚନ୍ତି ସସ୍ମିତା ପଣ୍ଡା । ନିକଟରେ ସସ୍ମିତା ପଣ୍ଡାଙ୍କ ସ୍ୱାମୀ ରଜନୀକାନ୍ତ ସାମଲଙ୍କୁ ପୋଲିସ ଠକେଇ ଅଭିଯୋଗରେ ତାଙ୍କ ଘରେ ଚଢାଉ କରି ତାଙ୍କୁ ଉଠାଇ ଆଣିଥିଲା । ଏହା ବିଭିନ୍ନ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କଲା । ଏହା ସସ୍ମିତାଙ୍କ ଭୋଟ ଉପରେ ପ୍ରଭାବ ପକାଇପାରେ ବୋଲି ଆଲୋଚନା ହେଉଛି । ହେଲେ ସସ୍ମିତା ଏହାକୁ ଖଣ୍ଡନ କରିଛନ୍ତି । ଶ୍ରୀମତୀ ପଣ୍ଡା କହିଛନ୍ତି ମୁଁ ଭାରତର ପୂର୍ବତନ ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ମୁଁ ନିର୍ବାଚନରେ ସମ୍ପୂର୍ଣ୍ଣ ଭାବେ ନବାଗତ । ମୁଁ ରାଜନୀତି କରିବାକୁ ଆସିନାହିଁ । ମୁଁ ଏକ ପରିବର୍ତ୍ତନ କରିବାକୁ ଆସିଛି । ମୋ ସ୍ୱାମୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ତାହା ଥିଲା ବିରୋଧୀମାନଙ୍କ ଷଡ଼ଯନ୍ତ୍ର । କାରଣ ମୁଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ମୋ ବିନା ଗୋଚରରେ ପୋଲିସ ମୋ ସ୍ୱାମୀଙ୍କୁ ଥାନାକୁ ଉଠାଇ ଆଣିଲା । ମୋ ସ୍ୱାମୀ ଥାନାରେ ଥିବା ବେଳେ ଥାନା ଆଗରେ କେତେକ ବିରୋଧୀ ବୁଲୁଥିଲେ । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ସେମାନେ ମୋ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ଏହିଭଳି ଷଡ଼ଯନ୍ତ୍ର କରିଛନ୍ତି ।


