ବାରହା ଓ ମାଙ୍କଡ ଉପଦ୍ରବରୁ ଫସଲକୁ ସୁରକ୍ଷା କରିବା ପାଇଁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତ ୫ ବର୍ଷ ଧରି ଜିଲ୍ଲାର ବିଭିନ୍ନ ଅଂଚଳରେ ବାରହା ଓ ମାଙ୍କଡ ମାନଙ୍କ ଉପଦ୍ରବ ହେବା ଫଳରେ ଚାଷୀମାନେ ପନିପରିବା, ଫସଲ, ଚିନାବାଦାମ ଓ ରାଶି ଆଦି ରବି ଫସଲ କରି କ୍ଷତି ସହୁଛନ୍ତି । ପୁର୍ବରୁ ପନିପରିବା ଓ ରବି ଫସଲ ଶହ ଶହ ଏକର ଚାଷ କରି ଚାଷୀମାନେ ଲାଭବାନ ହେଉଥିଲେ । ମାତ୍ର ଗତ କିଛି ବର୍ଷ ହେଲା ମାଙ୍କଡ ଓ ବାରହା ମାନେ ଶହ ଶହ ଆକାରରେ ବିଲରେ ବସି ସବୁ ଫସଲ ନଷ୍ଟ କରୁଛନ୍ତି । ବାରହା ରାତିରେ ଆସି ଫସଲ ନଷ୍ଟ କରୁଥିବା ବେଳେ ମାଙ୍କଡ ଦିନ ବେଳେ ଫସଲ ନଷ୍ଟ କରୁଛନ୍ତି । ଏହି ବନ୍ୟଜନ୍ତୁଙ୍କ ପ୍ରାର୍ଦୁଭାବ ଏତେ ବଢିଯାଇଛି ଯେ, ଚାଷୀ ମାନଙ୍କୁ ମଧ୍ୟ ସେମାନେ ଆକ୍ରମଣ କରଛନ୍ତି । ସେମାନେ ଧାନ ଫସଲ ସମେତ ପନିପରିବା, ରବି ଫସଲ ଏବଂ ଫଳନ୍ତି ଗଛ ଆମ୍ବ, ପଣସ, ଲେମ୍ଭୁ, ପିଜୁଳି, କଦଳୀ, ସାପଟା ଆଦି ଫସଲ ନଷ୍ଟ କରୁଛନ୍ତି । ଏଣୁ ଚାଷି ମାନେ ଏହି ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁଁ ଭୟଭୀତ ହୋଇ ଚାଷରେ କ୍ଷତି ସହି ଚାଷକାମ ଛାଡି ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରହା ଓ ମାଙ୍କଡ ଉପଦ୍ରବରୁ ରକ୍ଷା କରିବା ସହିତ ଫସଲକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଲେ ଚାଷୀକୂଳ ଉପକୃତ ହେବେ ବୋଲି ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ମହାସଭାର ସମ୍ପାଦକ ସିମାଂଚଳ ନାହାକ ଏକ ପ୍ରେସ ବିବୃତି ରେ ସୂଚନା ଦେଇଛନ୍ତି ।


