ଇନ୍ଦୁପୁର ହାଇସ୍କୁଲରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଶିକ୍ଷାଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନଙ୍କୁ ସର୍ବଭାରତୀୟ ସ୍ତରରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଇନ୍ଦୁପୁର ହାଇସ୍କୁଲର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ କେନ୍ଦ୍ରାପଡା, ବରି, ପଟ୍ଟାମୁଣ୍ଡାଇ, ଡେରାବିଶ୍ ଓ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ୨୦ରୁ ଉର୍ଦ୍ଧ୍ୱ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜାନୁୟାରୀ ମାସଠାରୁ ପ୍ରତ୍ୟେକ ରବିବାର ଦିନ ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନିକ ବିଜ୍ଞାନ, ଜୀବ ବିଜ୍ଞାନ ଓ ଇଂରାଜୀ ବିଷୟରେ ପ୍ରବୀଣ ଓ ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇ ଶିକ୍ଷାଦାନ କରାଯାଉଅଛି । ଓଡିଶାରେ ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନର ପ୍ରୟାସ ନେଇ ସୃଷ୍ଟି ହୋଇଥିବା ପାହାଳ ସ୍ଥିତ ‘କ୍ୟାରିୟର୍ ଫୋକସ’ର ପ୍ରତିଭା ସମ୍ପନ୍ନ ଶିକ୍ଷକମଣ୍ଡଳୀ ଇନ୍ଦୁପୁର ହାଇସ୍କୁଲରେ ପ୍ରତି ରବିବାର ଶିକ୍ଷାଦାନ ବ୍ୟବସ୍ଥାରେ ସାମିଲ୍ ହୋଇ ମେଧାବୀ ପିଲାମାନଙ୍କୁ ବାର୍ଷିକ ପରିକ୍ଷା -୨୦୨୨ରେ ସଫଳତା ଲାଭ ପାଇଁ କେତେକ ନୂତନ କୌଶଳ ପ୍ରଦାନ ସହ ଆକର୍ଷଣ ଶିକ୍ଷାଦାନ କରିଛନ୍ତି । କ୍ୟାରିୟର୍ ଫୋକସ୍ ପଦାର୍ଥ ବିଜ୍ଞାନର ସୁରେଶ କୁମାର ସିଂ ରସାୟନିକ ବିଜ୍ଞାନରେ ଶେଷଦେବ ପ୍ରଧାନ, ଗଣିତରେ ସୁଦର୍ଶନ ମହାପାତ୍ର, ଜୀବ ବିଜ୍ଞାନରେ ସମରେନ୍ଦ୍ର ନାୟକ, ଇଂରାଜୀରେ ପ୍ରସାଦ ରଞ୍ଜନ ପାତ୍ର ସମେତ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ଖିରବିର ପଟ୍ଟନାୟକ, ରାକେଶ କୁମାର ସିଂ, ହୃଷିକେଶ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ସହଜ ଓ ସରଳ ଉପାୟରେ ମନମୁଗ୍ଧ କର ଶିକ୍ଷା ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦ ସମ୍ପାଦକ ଶିକ୍ଷାବିତ୍ ପ୍ରଣବ କୁମାର ଜେନା, ଉପଦେଷ୍ଟା ତ୍ରିଲୋଚନ ଜେନା, ଦେବେନ୍ଦ୍ର କୁମାର ରାଉତ, ମନମୋହନ ସ୍ୱାଇଁ, ଚିର ରଞ୍ଜନ ରାଉତ, ରାମନାୟାରଣ ସିଂ,ପର୍ଶୁରାମ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଇନ୍ଦୁପୁର ହାଇସ୍କୁଲ ସମେତ ଇନ୍ଦୁପୁର ବାଳିକା ବିଦ୍ୟାଳୟ, ଧୂମାତ ଉଚ୍ଚ ବିଦ୍ୟାଳୟ, ବି.ଏସ୍‌.ବି. ହାଇସ୍କୁଲ୍‌, ଜରିଆବାଡ, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପଟ୍ଟାମୁଣ୍ଡାଇ, ରାମଚଣ୍ଡୀ ଶିକ୍ଷା ନିକେତନ ଛୋଟୀ, କୋରୋ ହାଇସ୍କୁଲ, ଭାରତୀ ବିଦ୍ୟାମନ୍ଦିର କେନ୍ଦ୍ରାପଡା, ସରସ୍ୱତୀ ଶିଶୁ ମନ୍ଦିର କେନ୍ଦ୍ରାପଡା, ନିକିରାଇ ଉଚ୍ଚ ବିଦ୍ୟାଳୟ, ମଧୁସାଗର ବିଦ୍ୟାପୀଠ ଅଙ୍ଗୁଳାଇ, ବିରୂପା ଉଚ୍ଚ ବିଦ୍ୟାଳୟ ମହାକାଳପଡା, ଗମୁ ଉଚ୍ଚ ବିଦ୍ୟାଳୟ ପ୍ରମୁଖରୁ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଛାତ୍ର ସଂସଦ ସମ୍ପାଦକ ପ୍ରଣବ କୁମାର ଜେନା ଶିକ୍ଷକ ମଣ୍ଡଳିକୁ ଧନ୍ୟବାଦ ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ