ବାବାସାହେବ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜନ୍ମବାର୍ଷିକ ଭୁବନେଶ୍ୱର ଏ.ଜି. ଛକଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ମହାସମାରୋହରେ ପାଳିତ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଆମ୍ବେଦକରଙ୍କ ଅନୁଗାମୀମାନେ ଏକତ୍ରିତ ହୋଇ ‘ଆମ୍ବେଦକର ଜୟ’ ଧ୍ୱନୀରେ ପ୍ରତିମୂର୍ତ୍ତିସ୍ଥଳଟିକୁ ପ୍ରକମ୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୭ ଘଟିକା ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ରାଜନୈତିକ ଦଳ, ନାଗରିକ ଏକତା ପରିଷଦ, ଭାରତୀୟ ବୌଦ୍ଧ ମହାସଭା, ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ଦାଣ୍ଡିମାଳ ସେବକ ସଂଘ, କାଳନ୍ଦୀ ସମାଜ, ପାସି ସମାଜ, ଭୋଇ ସମାଜ, ଗଣ୍ଡା ସମାଜ, ଦଳିତ ଜାତିସଂଘ, ଭୀମ ଆର୍ମି ପ୍ରମୁଖ ବହୁ ସାମାଜିକ, ଆଦିବାସୀ ଓ ଦଳିତ ଅନୁଷ୍ଠାନ ତରଫରୁ ସୁସଜ୍ଜିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଦେଇ ସମସ୍ତେ ଆମ୍ବେଦକରଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ । ବୁଦ୍ଧମନ୍ଦିରଠାରୁ ଦୁଇଟି ଆମ୍ବେଦକର ରଥ ସହିତ ଏକ ଶୋଭାଯାତ୍ରା ବାହାରି ଆମ୍ବେଦକର ଛକ ନିକଟରେ ପହଂଚି ଥିଲେ । ପ୍ରଶାସନ ତରଫରୁ ସେଠାରେ ଶାନ୍ତିଶୃଙ୍ଖଳାରେ ଉତ୍ସବଟିକୁ ପାଳନ କରିବା ନିମିତ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।


