ଭାରତର ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ନୂଆ ଅଧ୍ୟାୟ, ଭୁବନେଶ୍ୱରରୁ କ୍ରିଷ୍ଟେଲାର ଏରୋସ୍ପେସ୍‌ର ବଡ଼ ପଦକ୍ଷେପ

ଭୁବନେଶ୍ୱର,(ପଠାଣି ମହାପାତ୍ର): ଭାରତର ସ୍ୱଦେଶୀ ପ୍ରତିରକ୍ଷା ଓ ମହାକାଶ ପ୍ରଯୁକ୍ତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ କ୍ରିଷ୍ଟେଲାର ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେଇଛି। କମ୍ପାନୀ ପକ୍ଷରୁ ସ୍ୱଦେଶୀ ହାଇପରସୋନିକ୍ କାଉଣ୍ଟରମେଜର ଟେକ୍ନୋଲୋଜିର ଶୁଭାରମ୍ଭ ଅବସରରେ ଗତ ନଭେମ୍ବର ୨୦ ତାରିଖରେ ହୋଟେଲ୍ ଦି କ୍ରାଉନ୍‌ଠାରେ ଏକ ବିଶେଷ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ବହୁ ବୈଜ୍ଞାନିକ, ଗବେଷକ, ପ୍ରତିରକ୍ଷା ପ୍ରଯୁକ୍ତି ବିଶେଷଜ୍ଞ ଓ ଶିଳ୍ପ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ହାଇପରସୋନିକ୍ ବିପଦର ଚିହ୍ନଟ, ଟ୍ରାକିଂ, ପ୍ରତିରୋଧକ ବ୍ୟବସ୍ଥା ଏବଂ ଭାରତରେ ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିର ଭବିଷ୍ୟତ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ, ମତବିନିମୟ ଓ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
୧୭ ଅଗଷ୍ଟ ୨୦୨୧ରେ ପ୍ରତିଷ୍ଠିତ ଏହି ଡିପ୍-ଟେକ୍ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଉଦୟ ଭାନୁ ଦାସଙ୍କ ନେତୃତ୍ୱରେ ୫୪ ଜଣ ଯୁବ ଭାରତୀୟ ଇଞ୍ଜିନିୟର ପ୍ରାୟ ପାଞ୍ଚ ବର୍ଷ ଧରି ଏହି ଗବେଷଣାରେ ନିୟୋଜିତ ଅଛନ୍ତି। କମ୍ପାନୀ ଅନୁଯାୟୀ, ଏହି ଗବେଷଣାରେ ପ୍ରାୟ ୧୮,୨୦୦ ଘଣ୍ଟାର ସାମୂହିକ ପରିଶ୍ରମ ରହିଛି। କମ୍ପାନୀର ଗବେଷଣା ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ ଆଧାରିତ। ‘ଦି ଆଇଜ୍’ ଅଧୀନରେ ମହାକାଶ ଭିତ୍ତିକ ସେନ୍ସର ଓ ଉପଗ୍ରହ ନିରୀକ୍ଷଣ, ‘ଦି ବ୍ରେନ୍’ ଅଧୀନରେ ଏଆଇ , ସେମିକଣ୍ଡକ୍ଟର ଓ ଉନ୍ନତ କମ୍ପ୍ୟୁଟିଂ ଏବଂ ‘ଦି ସିଲ୍ଡ’ ଅଧୀନରେ ଇଲେକ୍ଟ୍ରୋନିକ୍ ୱାରଫେୟାର, ସାଇବର ସୁରକ୍ଷା ଓ ପ୍ରତିରୋଧକ ପ୍ରଯୁକ୍ତିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ଓଡ଼ିଶାରେ ମହାକାଶ ଓ ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତିର ଭିତ୍ତିଭୂମି ବିକାଶ ପାଇଁ ୧୩୫୦ କୋଟି ଟଙ୍କାର ଦୁଇଟି ପ୍ରସ୍ତାବିତ ନିବେଶ ପ୍ରକଳ୍ପ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୦୦୦ କୋଟି ଟଙ୍କାର ସ୍ପେସ୍ ଟେକ୍ନୋଲୋଜି ପାର୍କ ଏବଂ ୩୫୦ କୋଟି ଟଙ୍କାର ଉନ୍ନତ କ୍ୱାଣ୍ଟମ୍ ଡାଟା ସେଣ୍ଟର ଓ ଗବେଷଣା କେନ୍ଦ୍ର ସ୍ଥାପନ ଯୋଜନା ରହିଛି। ସଭାର ଶେଷରେ ଅଧ୍ୟକ୍ଷ ଉପସ୍ଥିତ ସମସ୍ତ ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ, ଅତିଥି, ସହଯୋଗୀ ସଂସ୍ଥା ଓ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କ ମାର୍ଗଦର୍ଶନ, ମୂଲ୍ୟବାନ ପରାମର୍ଶ ଓ ସହଯୋଗ ଏହି ପ୍ରୟାସକୁ ଆଗକୁ ନେବାରେ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ, ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆର ଲକ୍ଷ୍ୟକୁ ଆଗେଇ ନେବା ସହ ଭୁବନେଶ୍ୱରକୁ ଉନ୍ନତ ମହାକାଶ, ଏଆଇ , ସେମିକଣ୍ଡକ୍ଟର ଓ ପ୍ରତିରକ୍ଷା ଗବେଷଣାର ଏକ ନୂଆ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା କ୍ରିଷ୍ଟେଲାର ଏରୋସ୍ପେସ୍‌ର ମୁଖ୍ୟ ଲକ୍ଷ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ