ଜଙ୍ଗଲ ଜମି ବିବାଦର ସମାଧାନ ପାଇଁ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଗାଲିମେରା ଓ ଚୁଡଙ୍ଗପୁର ପଞ୍ଚାୟତ ଅଧିନ ଶିଆଳିଲଟି ଗ୍ରାମ ମଧ୍ୟରେ ୨ ବର୍ଷ ଧରି ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ଶାନ୍ତିପୂର୍ଣ୍ଣ ଭାବେ ସ୍ଥାୟୀ ସମାଧାନ ପାଇଁ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ, ବନଖଣ୍ଡ ଅଧିକାରିଣୀ କଳ୍ପନା ନାଇକ, ଅଡବା ଥାନା ଅଧିକାରୀ ଆନନ୍ଦ ଚ଼ନ୍ଦ୍ର ପାତ୍ର , ଶିଆଳିଲଟି ସରପଞ୍ଚ ସେବତୀ ଗମାଙ୍ଗ, ଗୁଲୁବା ସରପଞ୍ଚ ରେଜିନା ପ୍ରଧାନୀ, ଚନ୍ଦ୍ରଗିରି ରାଜସ୍ଵ ନିରୀକ୍ଷକ ମିଖାଇଲ ରାଇକା, ବିରିକୋଟ ରାଜସ୍ୱ ନିରୀକ୍ଷକ ଇ. ଗଣପତି ରାଓଙ୍କ ସମେତ ଉଭୟ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ  ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଯୋଗ୍ୟ ଉଭୟ ଗ୍ରାମର କିଛି ଗ୍ରାମବାସୀ ସରକାରୀ ଜଙ୍ଗଲ ଜମିକୁ ଦଖଲ କରି ଅସ୍ଥାୟୀ ଗୃହ ନିର୍ମାଣ କରିବା ସହିତ ଜମିରେ କାଜୁ ଗଛ ଲଗାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏହା ସହିତ ଉଭୟ ଗ୍ରାମ ମଧ୍ୟରେ ଜଙ୍ଗଲ ଜମି ସୀମା ବିବାଦ ମଧ୍ୟ ରହିଛି। କିଛି ଅଣ ଆଦିବାସୀ ଖଳ ପ୍ରକୃତିର ଲୋକେ ସିଆଳିଲଟି ଗ୍ରାମର ଲୋକେ ଲଗାଇଥିବା କାଜୁ ଗଛକୁ ଉପାଡି ଫିଙ୍ଗି ଦେବା ସହ ଅସ୍ଥାୟୀ ଘରକୁ ନିଆଁ ଲଗାଇ ଦେଇଥିବା ସୀମିଅ ଗମାଙ୍ଗ,ଯାକୋବ ମଣ୍ଡଳ, ଡାମିଏଲ ଭୂୟାଁ, ମାଥ୍ୟୁ ରଇତ ,ଆଯୁବ ଗମାଙ୍ଗ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଦୀର୍ଘ ବର୍ଷ ହେଲା ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ୨୪ ଜୁନ ୨୦୨୦ରେ କିଛି ଜମିକୁ ଚିହ୍ନଟ କରାଯାଇଥିଲା। ସମୟ ଅଭାବରୁ ୨ ଦିନ ପରେ ମାପ ହୋଇ ନଥିବା ଜମି ଚିହ୍ନଟ କରାଯିବ ବୋଲି ରାଜସ୍ଵ ନିରୀକ୍ଷକ ଉଭୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଶିଆଳିଲଟି ଓ ଝରଣାପୁର ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ ଗୁଲୁବା ପଞ୍ଚାୟତର ଗାଲିମେରା, କାପେଲବାଜୁ,ଚନ୍ଦନପୁର ଗ୍ରାମବାସୀ ଉପସ୍ଥିତ ହୋଇନଥିଲେ । ଯାହାଫଳରେ ଜମି ଚିହ୍ନଟ ହୋଇପାରି ନଥିଲା। ଏହାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଶାନ୍ତିପୂର୍ଣ୍ଣଭାବେ ସ୍ଥାୟୀ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ଏକ ମାସ ପରେ ସ୍ଥାୟୀ ସମାଧାନ କରାଯିବ ବୋଲି ଉଭୟ ପକ୍ଷଙ୍କ ଉପସ୍ଥିତିରେ ସ୍ଥିର କରାଯାଇଥିଲା । ଏହାରି ମଧ୍ୟରେ ଉକ୍ତ ଜମିରେ ୧୪୪ ଧାରା ଜାରି କରାଯିବା ସହ କୌଣସି ବ୍ୟକ୍ତି ବିବାଦୀୟ ଜମିରେ ଘର ନିର୍ମାଣ କରିବେ ନାହିଁ, ବୃକ୍ଷ ରୋପଣ କରିବେ ନାହିଁ, ଉଭୟ ଗ୍ରାମବାସୀ ଶାନ୍ତି ଶୁଙ୍ଗଳା ରକ୍ଷା କରିବେ, ବିବାଦୀୟ ଜମିକୁ ଚିହ୍ନଟ କରିବା ପାଇଁ ଉଭୟ ଗ୍ରାମବାସୀ ସହଯୋଗ କରିବେ, ଜମିରୁ କେବଳ କାଜୁ ସଂଗ୍ରହ କରି ପଞ୍ଚାୟତକୁ ତା’ର ନିର୍ଦ୍ଧାରିତ ଖଜଣା ପୈଠ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ