ବ୍ଲକ ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ

କୋଦଳା, (ଗୁଲସନ କୁମାର କର) :-ବ୍ଲକ ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପରିସରରେ ମଂଗଳବାର ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମଂଗଳବାର ବେଗୁନିଆପଡ଼ା ବ୍ଳକରେ ସମିତି ବୈଠକ ଚାଲିଥିବା ବେଳେ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ।ବୈଠକ ଶେଷ ହେବା ପରେ ସଭାଗୃହ ବାହାରେ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକଙ୍କ ସହ ହଠାତ୍ ଆସି ଯୁକ୍ତି ତର୍କ କରିଥିଲେ ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠୀ ଓ ତାଙ୍କର ସହଯୋଗୀ ଚରଣ ନାୟକ। ପକଂଜ ଓ ଚରଣ ଉଭୟ ମିଳିତ ଭାବେ ସାମ୍ବାଦିକ ସୁଶାନ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଟଣାଓଟରା କରି ଆକ୍ରମଣ କରିଥିଲେ। ଏହି ସମୟରେ ଅନ୍ୟ ସାମ୍ବାଦିକ ଓ ପଞ୍ଚାୟତ ଜନପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକଙ୍କୁ ମାଡ ମରାଯିବା ବେଳେ ଅନ୍ୟ ସାମ୍ବାଦିକମାନେ ବଞ୍ଚାଇବାକୁ ଉଦ୍ଯମ କରିଥିଲେ। ତେବେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ସହଯୋଗୀ ସାମ୍ବାଦିକ ମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଏନେଇ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଇଛନ୍ତି ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକ। ତେବେ ଏନେଇ ପାଲଟା ଏତଲା ସରପଞ୍ଚ ପକଂଜ ସେଠୀ ମଧ୍ୟ ଦେଇଥିବା ଜଣାପଡିଛି। ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚଙ୍କୁ ମାଡ଼ ମରାଯାଇଛି ବୋଲି ସେ ମିଥ୍ଯା ମାମଲା କରିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକ ସୁଶାନ୍ତ । ଘଟଣାକୁ ନେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଫାଣ୍ଡିରେ ପହଞ୍ଚି ତଦନ୍ତ କରିବା ସହ ସାମ୍ବାଦିକ ଏବଂ ତାଙ୍କ ସହଯୋଗୀଙ୍କ ବୟାନ ରେକର୍ଡ କରିଛନ୍ତି। ବେଗୁନିଆପଡ଼ା ବ୍ଳକ ପରିସର ତଥା ଘଟଣା ସ୍ଥଳକୁ ଯାଇ ଉଭୟ ପୋଲିସ ଅଧିକାରୀ ତଦନ୍ତ କରିଛନ୍ତି। ତେବେ ବ୍ଲକ ପରିସରରେ ଜଣେ କର୍ତ୍ତବ୍ଯରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏଭଳି ଆକ୍ରମଣ ପ୍ରାୟୋଜିତ ଭାବେ ଆକ୍ରମଣ କରାଯିବାକୁ ସବୁ ମହଲରେ ଦୃଢ ନିନ୍ଦା କରାଯାଇଛି।ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳର ସମସ୍ତ ସାମ୍ବାଦିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ