ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ମୋ ୱାର୍ଡ ମୋ ଦାୟିତ୍ୱ ଅଭିଯାନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଶୁକ୍ରବାର ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପରିସରରେ ୧୦ ନଂ ୱାର୍ଡର ମୋ ୱାର୍ଡ ମୋ ଦାୟିତ୍ୱ ଅଭିଯାନ କାର୍ଯ୍ୟକ୍ରମ କାଉନସିଲର ଦେବାଶିଷ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୱାର୍ଡ ବାସୀ ବିଭିନ୍ନ ସେବା କିପରି ପାଇ ପାରିବେ ସେଥି ନିମନ୍ତେ ପ୍ରାଧାନ୍ୟ ଦିଆଯିବ ବୋଲି କାଉନସିଲର ଶ୍ରୀ ମିଶ୍ର କହିଛନ୍ତି । ପରିମଳ, ପାନୀୟ ଜଳ, ଭିତ୍ତିଭୂମି ସହ ବିଭିନ୍ନ ୱାର୍ଡ ର ଆବଶ୍ୟକତା ସମ୍ପର୍କରେ କାଉନସିଲର ଶ୍ରୀ ମିଶ୍ରଙ୍କ ସହ ଯୋଗ ଦେଇଥିବା ୱାର୍ଡ ବାସୀ ମାନେ ଆଲୋଚନା କରିଥିଲେ । ଏହି ଅବସରରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷା ଜି. ପାପା ରାଓ, ୮ ନଂ ୱାର୍ଡ କାଉନସିଲର କେ. ରମେଶ, ୱାର୍ଡ ଲେଭେଲ ଅଫିସର ଏବଂ ଛତ୍ରପୁର ଏନଏସିର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ୧୦ ନଂ ୱାର୍ଡର ଉନ୍ନତି କାମନା କରିଥିଲେ । ଏଥିରେ ୱାର୍ଡର ବହୁ ମହିଳା ଓ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ସେହିପରି ୯ ନଂ ୱାର୍ଡର ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ ନୂଆ ସାହି ସ୍ଥିତ ପରିଚୟ ଗୃହ ପରିସରରେ କାଉନସିଲର ପ୍ରିତିଛନ୍ଦା ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାହିରେ ଆବଶ୍ୟକତା ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମହିଳା ମାନେ ଉପସ୍ଥିତ ଥିବା ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ମେଦିରି ସାହି ଓ ବ୍ଲକ କଲୋନି ଅଂଚଳରେ ଉପୁଜିଥିବା ଡ୍ରେନେଜ ଓ ପରିମଳ ସମ୍ପର୍କରେ କାଉନସିଲର ଶ୍ରୀମତି ସାମଲ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ୯ ନଂ ୱାର୍ଡ ର ଜନସାଧାରଣ କିପରି ପାନୀୟ ଜଳ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ସଠିକ୍ ଭାବେ ପାଇ ପାରିବେ ସେଥି ନିମନ୍ତେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା ।


