ବ୍ୟାପକ ଅବ୍ୟବସ୍ଥାରେ ହେଲା ନବୋଦୟ ପ୍ରବେଷିକା ପରୀକ୍ଷା

ହାଟଡିହି, (ବିକାଶ ବିଶ୍ୱାଳ) :-ବ୍ୟାପକ ଅବ୍ୟବସ୍ଥା ଭିତରେ ଅନୁଷ୍ଠିତ ହୋଇଛି ନବୋଦୟ ପ୍ରବେଶିକା ପରୀକ୍ଷା । ପଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ସକାଳୁଆ କରିଥିବାବେଳେ କୁନି କୁନି ଛୁଆଙ୍କୁ ନେଇ ହେଉଥିବା ନବୋଦୟ ପ୍ରବେଶିକା ପରୀକ୍ଷାର ସମୟ ନିର୍ଘଣ୍ଟକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦିନ ୧୧ଟା ୩୦ରୁ ୧ଟା ତିରିଶ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବାବେଳେ ହାଟଡିହି ପରୀକ୍ଷାକେନ୍ଦ୍ରରେ ପଙ୍ଖାର ବ୍ୟବସ୍ଥା ନଥିବା, ପାନୀୟଜଳର ବ୍ୟବସ୍ଥା ନଥିବାରୁ ପରୀକ୍ଷାର୍ଥୀମାନେ ଗରମରେ ଅତିଷ୍ଠ ହୋଇପଡିଥିଲେ । ହାଟଡିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୩୭୨ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ କିଛି ପରୀକ୍ଷାର୍ଥୀ ଶଶିମଣି ଗାର୍ଲସ ହାଇସ୍କୁଲ ଓ ଆଉ କିଛି ପରୀକ୍ଷାର୍ôଥଙ୍କୁ ହାଟଡିହି ନୋଡାଲ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା । ଗତକାଲି ଅପରାହ୍ନରେ କାଳବୈଶାଖି ଯୋଗୁଁ ହାଟଡିହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଥିବା ବେଳେ ପରୀକ୍ଷାଥି ମାନଙ୍କ ପାଇଁ ଫ୍ୟାନର ବ୍ୟବସ୍ଥା କରାଯାଇ ନଥିଲା । ପ୍ରଚଣ୍ଡ ରୌଦ୍ରତାପ ସହିତ ପ୍ରବଳ ଗୁଳୁଗୁଳି ଯୋଗୁଁ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ବସି ପରୀକ୍ଷାଦେବା କଷ୍ଟକର ହୋଇପଡିଥିଲା । ଏନେଇ କିଛି ଅଭିଭାବକ ପରୀକ୍ଷାକେନ୍ଦ୍ର ବାହାରେ ହୋହଲ୍ଲା କରିବା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଶଶିମଣି ହାଇସ୍କୁଲରେ ଅଭିଭାବକ ମାନେ ଚାନ୍ଦା ଆଦାୟ କରି ତେଲ କିଣି ଦେବାପରେ ଯାଇ ଜେନେରେଟର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ନୋଡାଲ ସ୍କୁଲରେ ଜେନେରେଟର ଖରାପ ଥିବାରୁ ପିଲାମାନେ ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ । ହାଟଡିହି ପରୀକ୍ଷାକେନ୍ଦ୍ରରେ ୩୭୨ ପରୀକ୍ଷାଥିଙ୍କ ମଧ୍ୟରୁ ୩୩୯ଜଣ ପରୀକ୍ଷା ଦେଇଥିବାବେଳେ ଶାଳଣିଆଁ ପରୀକ୍ଷାକେନ୍ଦ୍ରରେ ୩୬୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨୬ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି । ହାଟଡିହି ପରୀକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର ପରୀକ୍ଷା ପରିଚାଳନା କରିଥିବାବେଳେ ଶାଳଣିଆଁ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କୋଦଣ୍ଡଧର ମହାନ୍ତି ପରୀକ୍ଷା ପରିଚାଳନା କରିଥିଲେ । ଏବିଇଓ ତଥା ବିଆରସିସି ସୁରେଶ ଚନ୍ଦ୍ର ଜେନା, ଏବିଇଓ ଧନେଶ୍ୱର ଖଣ୍ଡେଇ ଦୁଇଟିଯାକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ