କଲ୍ୟାଣୀଙ୍କ ପରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନ୍ୟ ଜଣେ ଦାୟାଦ ନବନୀତା : ପ୍ରତ୍ୟକ୍ଷ ରାଜନିତୀରେ ଆଗ୍ରହୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପାରଳା ମହାରାଜା ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଗଠନର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନ୍ୟଜଣେ ଦାୟାଦ ନବନୀତା ଗଜପତି ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବା ପାଇଁ ଆଗ୍ରହପ୍ରକାଶ କରିଛନ୍ତି I ଗତକାଲି ଏନେଇ ପାରଳାଖେମୁଣ୍ଡି ସର୍କିଟ । ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବନୀତା କହିଛନ୍ତି, ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଭାଷାଭାଷି ଲୋକଙ୍କ ସେବା ଓ ସମ୍ମାନ ପାଇଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେହିପରି ଓଡିଶାବାସୀଙ୍କ ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଓ ଉନ୍ନତି ସାଧନ କରି ସୁପରିଚିତ ଅଟନ୍ତି । ତାଙ୍କରି ଆଦର୍ଶ ଓଲୋକ ସେବା ପାଇଁ ମୁଁ ପ୍ରତ୍ୟକ୍ଷ ରାଜନିତୀରେ ଯୋଗ ଦେବା ପାଇଁ ଆଗ୍ରହୀ ଅଟେ । ସେପରି ସୁବିଧା ସୁଯୋଗ ଓ ଉପଯୁକ୍ତ ଦଳ ତରଫରୁ ନିମନ୍ତ୍ରଣ ହେଲେ ଅଞ୍ଚଳବାସୀଙ୍କ ଉନ୍ନତି ଓ ସେବା ପାଇଁ ପ୍ରତେକ୍ଷ ରାଜନୀତିରେ ଯୋଗ ଦେବି । ସୂଚନା ଯୋଗ୍ୟ ଯେ, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରେ ଗୋପୀନାଥ ଗଜପତି ରାଜ ସିଂହାସନ ଆରୋହଣ କରିଥିଲେ ତାଙ୍କ ସାନଭାଇ ଥିଲେ ଗଜପତି ସର୍ବଜ୍ଞ ଜଗନ୍ନାଥ ନାରାୟଣ ଦେବ। ଉଭୟଙ୍କ ପରିବାର ବ୍ୟବସାୟିକ ପ୍ରତିଷ୍ଠାନ କାରବାର ଦୃଷ୍ଟିରୁ ଚେନ୍ନାଇ ଠାରେ ରହି ଆସୁଥିଲେ ଏବଂ କିଛି ବର୍ଷ ବିଦେସରେ ରହି ଆସୁଥିଲେ । ଗୋପିନାଥ ଗଜପତିଙ୍କ ପରେ କିଛି ବର୍ଷ ହେଲା ତାଙ୍କ ଝିଅ କଲ୍ୟାଣୀ ଗଜପତି ରାଜପ୍ରାସାଦରେ ରହି ଆସୁଛନ୍ତି । ଜଗନ୍ନାଥ ନାରାୟଣ ଦେବଙ୍କ ପତ୍ନୀ ଶୈଳଜା ଦେବୀ ଓ ତାଙ୍କ ଝିଅ ନବନୀତା ଦେବୀ ପାରଳାଖେମୁଣ୍ଡି ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସେଠାରୁ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଥିବା ଓ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବାର ଇଚ୍ଛା ଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜକୁମାରୀ ନବନୀତା ଗଜପତି । ରାଜ ପରିବାରର ପୈତୃକ ଅଧିକାର ରହିଛି, ଏଠାରେ ରହି ଦାଦା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ମାନ ରକ୍ଷା କରିବାକୁ ପ୍ରୟାସ କରିବି ଏଥିସହ ରାଜ ପରିବାରର ବିଭିନ୍ନ ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ମନସ୍ଥ କରିଥିବା କହିଛନ୍ତି ।


