ବନ୍ଦ ରହିଛି ରାସ୍ତା ନିର୍ମାଣ କାର୍ଯ୍ୟ : ସମସ୍ୟା ଭୋଗୁଛନ୍ତି ଲୋକେ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ସରମରା ଠାରୁ ବୋଡକ ପାଟଣା ଭାୟା ଟିଲୋ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ୨ ମାସ ଧରି ବନ୍ଦ ରହିବା ଯୋଗୁ ସାଧାରଣଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୧୦ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ଗତ ୨୦୨୧ ମସିହା ଡିସେମ୍ବର ଠାରୁ ଆରମ୍ଭ ହୋଇ ଥିଲା । ମାତ୍ର ଗତ ମାର୍ଚ୍ଚ ମାସ ଠାରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଏହି ରାସ୍ତାଟି ଟିଲୋ ଓ ଓଡଙ୍ଗ ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଛି । ଏହି ରାସ୍ତା ଉପରେ ଟିଲୋ, ଦେବତାଗଢିଆ, ସରମରା, ସାବିତ୍ରୀ ପୀଠ ତୋଟାସାହି, ମଙ୍ଗୁଲି, ଏରଝାଟିଆ, ପାରାବନ୍ଧ, ଓଡଙ୍ଗ, ବୋଡକପାଟଣା ଆଦି ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ଦୈନ ନ୍ଦିନ ଶହ ଶହ ଯାନବାହାନ ଏହି ରାସ୍ତା ଦେଇ ଯାତାୟତ କରିଥାଏ । ଉପରୋକ୍ତ ଗ୍ରାମର ଲୋକେ ଜିଲା ଓ ବ୍ଲକ ସଦର ମହକୁମାକୁ ଏହି ରାସ୍ତା ଦେଇ ଯାଆସ କରିଥାନ୍ତି । ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିବା ଫଳରେ ରାସ୍ତାରେ ଗର୍ତ୍ତ ମାନ ସୃଷ୍ଟି ହୋଇ ଯାତାୟତରେ ଅସୁବିଧା ସୃଷ୍ଟି କରୁଛି । ଏହି ରାସ୍ତାଟି ୫୩ନଂ.ରାଜ୍ୟ ରାଜପଥକୁ ମଧ୍ୟ ସଂଯୋଗ କରିଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।