ଅଲାରନାଥ ମନ୍ଦିର ର ସର୍ବାଙ୍ଗ ଶିଳା
ନିମାପଡା, (ସନ୍ତୋଷ ଦାଶ) :-ସ୍ନାନ ପୂର୍ଣ୍ଣିମା ଦିନ ୧୦୮ଶୁଦ୍ଧ ଜଳ ରେ ସ୍ନାନ ପରେ ଶ୍ରୀ ଜିୟୁ ମାନେ ଜ୍ୱର ରେ ପୀଡ଼ିତ ହୁଅନ୍ତି । ସେମାନଙ୍କୁ ସୁସ୍ଥ କରିବାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଗୃହ କୁ ନିଆଯାଇ ସେଠାରେ ଦଇତାପତି ସେବକ ମାନେ ଗୁପ୍ତ ସେବା କରିଥାନ୍ତି । ଏହା ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ମାନବୀୟ ଲୀଳା ଅଟେ। ସ୍ନାନ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଶ୍ରୀ ଜିୟୁ ମାନେ ଦଇତାପତି ମାନଙ୍କ ଠାରୁ ଗୁପ୍ତସେବା ପାଇଥାନ୍ତି । ଶ୍ରୀଜିୟୁ ମାନେ ଏହି ସମୟରେ ଅଣସର ଗୃହ ରେ ପୂଜା ପାଉଥିବାରୁ ଶ୍ରୀ ମନ୍ଦିର ରେ ପଟ୍ଟି ଦିଅଁ ପୂଜା ପାଇଥାନ୍ତି । ଏହି ସମୟରେ ବ୍ରହ୍ମଗିରି ର ଅଲାରନାଥ ଙ୍କୁ ଦର୍ଶନ କଲେ ଶ୍ରୀ ଜିୟୁ ଙ୍କ ଦର୍ଶନ ର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି । ସତ୍ୟଯୁଗ ରେ ମହାପ୍ରଭୁ ଙ୍କ ଲୀଳା ବ୍ରହ୍ମଗିରି ରେ ପ୍ରକଟ ହୋଇଥିଲା ବୋଲି କୁହା ଯାଇଥାଏ। ଅନେକ କାଳଧରି ଏହି ଲୀଳା ଗୁପ୍ତ ହୋଇ ରହିବା ପରେ ମହାନ ବୈଷ୍ଣବ ଭକ୍ତ ସନ୍ଥ ଶ୍ରୀ ଚୈତନ୍ୟ ଙ୍କ ଶ୍ରୀ କ୍ଷେତ୍ର କୁ ଆଗମନ ପରେ ଅଲାରନାଥ ଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା । ଶ୍ରୀ ଚୈତନ୍ୟ ତାଙ୍କ ଜୀବନ ର ଶେଷ ୧୮ବର୍ଷ ଶ୍ରୀ କ୍ଷେତ୍ର ପୁରୀ ରେ କଟାଇଥିଲେ। କାଶୀ ମିଶ୍ରାଳୟ ର ଗମ୍ଭିରା ଘରେ ସେ ଅବସ୍ଥାନ କରି ପ୍ରତିଦିନ ଜଗନ୍ନାଥ ମହାପ୍ରଭୂ ଙ୍କୁ ଦର୍ଶନ ପାଇଁ ଶ୍ରୀ ମନ୍ଦିର ଯାଇଥାନ୍ତି। ସ୍ନାନ ପୂର୍ଣ୍ଣିମା ପରଦିନ ଶ୍ରୀ ମନ୍ଦିର ରେ ମହାପ୍ରଭୂ ଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମ୍ରିୟମାଣ ହୋଇପଡ଼ିଥିଲେ। ସମୁଦ୍ର କୂଳରେ ମୋ ପ୍ରଭୂ ମୋ ପ୍ରଭୂ ବୋଲି ଚିତ୍କାର କରି ପାଗଳ ଙ୍କ ପରି ହେଉଥିବା ବେଳେ ତାଙ୍କୁ ସମୁଦ୍ର କୂଳେ କୂଳେ ବ୍ରହ୍ମଗିରି ଯିବାକୁ ଶୂନ୍ୟବାଣୀ ହୋଇ ଥିଲା। ସେହି ଅନୁସାରେ ଶ୍ରୀଚୈତନ୍ୟ ଦେବ ସମୁଦ୍ର କୂଳେ କୂଳେ ଯାଇ ପହଞ୍ଚିଥିଲେ ବ୍ରହ୍ମଗିରି ରେ । ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇ ପଡ଼ିଥିଲେ ଶ୍ରୀ ଚୈତନ୍ୟ। ଶ୍ରୀ ଅଲାରନାଥଙ୍କ ନାରାୟଣ ବିଷ୍ଣୁ ମୂର୍ତ୍ତି ରୂପ ଦେଖି ସେସେଠାରେ ପଡିଥିବା ଏକ ପ୍ରସ୍ତରଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ। ଶ୍ରୀ ଜିୟୁ ମାନଙ୍କ ଦର୍ଶନ ନପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇ ଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀର ର ଆକାର ଅନୁଯାୟୀ ତରଳି ଯାଇଥିଲା। ଏବେ ବି ସେହି ପ୍ରସ୍ତର ଖଣ୍ଡ ଟି ଅଲାରନାଥ ଙ୍କ ମନ୍ଦିର ପରିସର ରେ ପୂଜା ପାଉଥିବା ଦେଖିବାକୁ ମିଳେ। ଏହା ସର୍ବାଙ୍ଗ ଶିଳା ନାମ ରେ ପରିଚିତ। ଶ୍ରୀ ଚୈତନ୍ୟ ପନ୍ଥି ଗୌଡୀୟ ବୈଷ୍ଣବ ମାନେ ଏହି ପୀଠ କୁ ଆଗମନ କରି ପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ କରିବା ସହିତ ସେହି ସର୍ବାଙ୍ଗ ଶିଳା କୁ ପ୍ରଣିମାତ କରିଥାନ୍ତି। ସନାତନ ଧର୍ମାବଲମ୍ବୀ ମାନଙ୍କର ଏକ ପବିତ୍ର ଆଧ୍ୟାତ୍ମିକସ୍ଥଳୀ ଭାବେ ଏହି ପୀଠ ଅତ୍ୟନ୍ତ ସୁପରିଚିତ। ଭଗବାନ ଙ୍କୁ ଭକ୍ତ ଟିଏ କେତେ ପ୍ରେମ କରିପାରେ ଏହି ସର୍ବାଙ୍ଗଶିଳା ତାର ପ୍ରମାଣ ଦେଇ ଆସୁଛି କାହିଁ କେତେ କାଳରୁ ।